ପ୍ରଥମଥର ଡରାଇବେ ବରୁଣ, ହାତରେ ଲାଗିଲା…

ମୁମ୍ବାଇ:ବଲିଉଡ ଅଭିନେତା ବରୁଣ ଧାୱନଙ୍କ ହାତରେ ଏବେ ଅନେକ ପ୍ରୋଜେକ୍ଟ ରହିଛି। ‘ଷ୍ଟୁଡେଣ୍ଟ ଅଫ ଦି ଇୟର୍‌’ ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିବା ବରୁଣ ‘ବଦଲାପୁର’, ‘ଭେଡିଆ’ ଓ ‘ସୁଇ ଧାଗା’ ଭଳି ଭିନ୍ନ ଭିନ୍ନ ଧରଣର ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି। ରୋମାନ୍ସ, କମେଡି ଓ ଆକ୍ସନ ପରେ ଏବେ ଦର୍ଶକଙ୍କୁ ଭୟଭୀତ କରିବାକୁ ଆସୁଛନ୍ତି ବରୁଣ। ଖାସ କଥା ହେଉଛି, ଯଶରାଜ ଫିଲ୍ମସ (YRF)ର ପ୍ରଥମ ହରର୍‌ ଫିଲ୍ମରେ ସେ ମୁଖ୍ୟ ଅଭିନେତା ଭାବେ ନଜର ଆସିବେ। ଏହି ଅନଟାଇଟଲ ଫିଲ୍ମର ଥିଏଟର୍‌ ରିଲିଜ ତାରିଖ ମଧ୍ୟ ନିର୍ଦ୍ଧାରିତ ହୋଇଛି। ଫିଲ୍ମଟି ୩୧ ମାର୍ଚ୍ଚ ୨୦୨୮ରେ ପରଦାକୁ ଆସିବ।

YRFର ଏହି ପ୍ରଥମ ହରର୍‌ ଫିଲ୍ମର ନିର୍ଦ୍ଦେଶନା ଦେବେ ଅଭୟ ପନ୍ନୁ। ଏହା ପୂର୍ବରୁ ‘ରକେଟ ବଏଜ’ ଭଳି ୱେବ ସିରିଜ ପାଇଁ ସେ ପ୍ରଶଂସା ସାଉଁଟିଛନ୍ତି। ଏହି ଫିଲ୍ମ ଜରିଆରେ ଅଭୟ ପନ୍ନୁ ବଡ଼ ପରଦାରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବେ। ଫିଲ୍ମର କାହାଣୀ ମଧ୍ୟ ସେ ନିଜେ ଲେଖିଛନ୍ତି। ଏହି ପ୍ରୋଜେକ୍ଟର ନିର୍ମାଣ ଦାୟିତ୍ୱରେ ଅଛନ୍ତି ଆଦିତ୍ୟ ଚୋପ୍ରା। ଅନ୍ୟପଟେ ଯଶରାଜ ଫିଲ୍ମସ ସିଇଓ ଅକ୍ଷୟ ବିଧାନୀ ଏହାର ପ୍ରଯୋଜନା କରୁଛନ୍ତି। ବରୁଣଙ୍କ ଏହି ଆଗାମୀ ହରର୍‌ ଫିଲ୍ମ ୩୧ ମାର୍ଚ୍ଚ ୨୦୨୮ରେ ସିନେମା ହଲ୍‌କୁ ଆସିବ। ଏହି ରିଲିଜ ତାରିଖରୁ ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି।

ଏଯାଏ YRF ରୋମାନ୍ସ, ଆକ୍ସନ, ଡ୍ରାମା ଓ ଥ୍ରିଲର୍‌ ଭଳି ଜୋନ୍‌ର ଫିଲ୍ମ ପାଇଁ ପରିଚିତ ଥିଲା। ହେଲେ ଏହି ପ୍ରୋଜେକ୍ଟ ଜରିଆରେ ପ୍ରଥମ ଥର ପାଇଁ ହରର୍‌ ଜୋନରେ ପାଦ ଥାପିବାକୁ ଯାଉଛି ପ୍ରଯୋଜନା ସଂସ୍ଥା। ବରୁଣଙ୍କ ପାଇଁ ମଧ୍ୟ ଏହି ଫିଲ୍ମ ଖାସ ହେବ। ୨୦୧୮ରେ ରିଲିଜ ହୋଇଥିବା ‘ସୁଇ ଧାଗା: ମେଡ ଇନ ଇଣ୍ଡିଆ’ ପରେ YRF ସହ ଏହା ତାଙ୍କର ଦ୍ୱିତୀୟ ଫିଲ୍ମ। ଏଥର ସେ ଏକ ସମ୍ପୂର୍ଣ୍ଣ ନୂଆ ଓ ଭୟଙ୍କର ଅବତାରରେ ଦର୍ଶକଙ୍କ ସାମ୍ନାକୁ ଆସିବେ।

ଚଳିତ ୨୦୨୬ ବର୍ଷରେ ଏଯାଏ ବରୁଣ ଧାୱନଙ୍କ ଦୁଇଟି ଫିଲ୍ମ ସିନେମା ହଲ୍‌ରେ ରିଲିଜ ହୋଇଛି। ଜାନୁଆରୀରେ ତାଙ୍କ ଅଭିନୀତ ମଲ୍ଟିଷ୍ଟାରର୍‌ ୱାର୍‌ ଡ୍ରାମା ‘ବଡର୍ର୍‌ ୨’ ମୁକ୍ତିଲାଭ କରିଥିଲା। ଏହା ପରେ ଅକ୍ଟୋବର ୨ରେ ରିଲିଜ ହୋଇଥିଲା ରୋମାଣ୍ଟିକ କମେଡି ଫିଲ୍ମ ‘ହୈ ଜୱାନୀ ତୋ ଇଶ୍କ ହୋନା ହୈ’। ଏହି ଫିଲ୍ମରେ ବରୁଣଙ୍କ ସହ ମୃଣାଳ ଠାକୁର ଓ ପୂଜା ହେଗଡେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

 

Dharitri – Odisha’s No.1 Odia Daily

 

Share