ଦିଗପହଣ୍ଡିରେ ଜନତା ହୋଟେଲ ସହ ବିଭିନ୍ନ ଦୋକାନ ସିଲ୍‌ : ୭ ଦିନ ରହିବ ବଳବତ୍ତର

ଦିଗପହଣ୍ଡି,୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡସ୍ଥିତ ଜନତା ହୋଟେଲକୁ ରବିବାର ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ସେହିପରି ଅନ୍ୟ ୩ଟି ଗ୍ରୋସରି ଦୋକାନକୁ ମଧ୍ୟ ସିଲ କରାଯିବା ସହ ଲୁଚା ଚୋରାରେ ବିକ୍ରି ହେଉଥିବା ମାଛ,ମାଂସ ଓ ଚିକେନ ଦୋକାନ ଉପରେ ଚଢ଼ାଉ କରାଯାଇ ଜରିମାନା ଆଦାୟ ହୋଇଛି। ଅତର୍କିତ ଚଢ଼ାଉରେ ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦୈତ କୁମାର ସ୍ବାଇଁ, ବିଡିଓ ହଳଧର ଶବର, ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଶଟ୍‌ଡାଉନରେ କିଛି ବ୍ୟବସାୟୀ ବେଆଇନ ଭାବେ ବ୍ୟବସାୟ ଚଳାଇଥିବା ସୂଚନାପାଇ ଦିଗପହଣ୍ଡି ତହସିଲଦାରଙ୍କ ନେତୃତ୍ୱରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ପକ୍ଷରୁ ବଜାର ଓ ବସଷ୍ଟାଣ୍ଡ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଜନତା ହୋଟେଲ ସମେତ ନିର୍ଦ୍ଦିଷ୍ଟ କିଛି ଗ୍ରୋସରି ଦୋକାନ ଓ ରାସ୍ତାକଡ଼ରେ ଥିବା ମାଛ, ମାଂସ ଦୋକାନଗୁଡିକରେ ବହୁ ସଂଖ୍ୟକ ଗ୍ରାହକଙ୍କ ଭିଡ଼ ଲାଗିଥିଲା। ଗ୍ରାହକମାନେ ସାମାଜିକ ଦୂରତା ନିୟମକୁ ଉଲ୍ଲଂଘନ କରିବାସହ ଅନେକ ମାସ୍କ ପିନ୍ଧି ନଥିଲେ। ଦୋକାନୀମାନେ ମଧ୍ୟ ପାଖରେ ସାନିଟାଇଜର ରଖି ନ ଥିବା ବେଳେ ହାତରେ ଗ୍ଲୋବସ ପିନ୍ଧି ନଥିଲେ। ଏ ନେଇ ତହସିଲଦାର ସବୁ ଦୋକାନଗୁଡ଼ିକୁ ବନ୍ଦ କରିଦେବା ସହ ଗ୍ରାହକ ମାନଙ୍କୁ ଦୋକାନ ମଧ୍ୟରୁ ଘଉଡାଇ ଦେଇଥିଲେ। ପରେ ସେସବୁ ଦୋକାନ ଗୁଡ଼ିକୁ ତାଲା ପକାଇ ଜଉମୁଦ ଦେଇ ସିଲ୍‌ କରାଯାଇଥିବା ଜଣାପଡିଛି। ଦୋକାନ ଗୁଡ଼ିକୁ ୭ ଦିନ ଯାଏ ସିଲ କରି ରଖାଯିବ। ପରେ ଜିଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବ୍ୟବସାୟୀମାନେ ନିର୍ଦ୍ଧାରିତ ସିକାରୋକ୍ତି ପ୍ରଦାନ ସହ ଜରିମାନା ଦାଖଲ କରିବାପରେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ତହସିଲଦାର କହିଛନ୍ତି।