ରିଷିଡା, ୫।୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସୁବାସ ରଣାଙ୍କ ସ୍ତ୍ରୀ ସୁମିତ୍ରା। ଶାଶୁ ଘର ଲୋକେ ସୁମିତ୍ରା ଆତ୍ମହତ୍ୟା କରିଥିବା କହୁଥିବାବେଳେ ବାପଘର ଲୋକେ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଶୁକ୍ରବାର ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବାବେଳେ ମ. ରାମପୁର ଥାନା ଅଧିକାରୀ ସଂଯୁକ୍ତା ପଧାନ, ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡିକା ଶାଶୁଘର ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି।
ସୂଚନା ଅନୁଯାୟୀ ପୌରକେଲା ଗ୍ରାମର ସୁବାସ ବୌଦ୍ଧ ଜିଲା ଘଣ୍ଟାପଡ଼ା ଥାନା ଅନ୍ତର୍ଗତ ପିଟାବାହାଲ ଗ୍ରାମର ସୁମିତ୍ରାଙ୍କୁ ୫ ବର୍ଷ ତଳେ ବିବାହ କରିଥିଲେ। ସୁବାସ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଛନ୍ତି। ଗୁରୁବାର ରାତିରେ ସୁମିତ୍ରା ଆତ୍ମହତ୍ୟା କରିଥିବା କଥା ତାଙ୍କ ଶାଶୁଘର ଲୋକେ ସୁମିତ୍ରାଙ୍କ ବାପାଙ୍କୁ ଫୋନ କରି ଜଣାଇଥିଲେ। ଖବରପାଇ ସୁମିତ୍ରାଙ୍କ ବାପା ଅଲେଖ ରଣା ଓ ଅନ୍ୟମାନେ ଆସିଥିଲେ। ଝିଅକୁ ଶ୍ବଶୁର, ଶାଶୁ, ନଣନ୍ଦ ମିଶି ମାରି ଦେଇଛନ୍ତି ବୋଲି ରିଷିଡା ଫାଣ୍ଡିରେ ଅଭିଯୋଗ କରିଥିଲେ। ରିଷିଡା ଫାଣ୍ଡି ଅଧିକାରୀ ମହିଳାଙ୍କ ଶ୍ବଶୁର ମାଖନ ରଣା, ଶାଶୁ ବେନ୍ଦଲି, ନଣନ୍ଦ ଗୋଲାପି ଓ ମୋହିନୀକୁ ମ.ରାମପୁର ଥାନାକୁ ନେଇ ପଚରାଉଚରା କରିଛନ୍ତି। ଏନେଇ ମ. ରାମପୁର ଥାନାରେ ଏକ ମାମଲା (ନଂ.୧୪୬/୨୦୨୬) ରୁଜୁ ହୋଇଛି। ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି।