ନିରାକାରପୁର,୨୬।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ସ୍ପଷ୍ଟ ଦିବାଲୋକରେ କାର୍ କାଚ ଭାଙ୍ଗି ଲୁଟ। ମନ୍ଦିରରେ ପ୍ରସାଦ ସେବନ କରିବାକୁ ଯାଇଥିବା ଏକ ପରିବାରର କାର୍ କାଚ୍ ଭାଙ୍ଗି ଦୁଇଟି ଭ୍ୟାନିଟି ବ୍ୟାଗ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବ୍ୟାଗ୍ରେ ସୁନା ଅଳଙ୍କାର ଏବଂ ଟଙ୍କା ରହିଥିବା ପରିବାର ପକ୍ଷରୁ କୁହାଯାଇଛି। ଏହି ଘଟଣା ନିରାକାରପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ କମାଗୁରୁ ଅଞ୍ଚଳର ଏକ ପରିବାର ଗୁରୁବାର ଏକ କାର୍(ନଂ.ଓଡି୦୨ସିକେ୦୦୯୫) ଯୋଗେ ଡିଆସ୍ଥିତ କପିଳେଶ୍ୱର ଦେବଙ୍କ ଦର୍ଶନ କରିଥିଲେ। ଦର୍ଶନ ପରେ ପରିବାର ଲୋକେ ପ୍ରାୟ ୩ଟା ସମୟରେ ନିରାକାରପୁରଠାରେ ଥିବା ଶ୍ରୀରାମ ମନ୍ଦିର ନିକଟରେ ପହଞ୍ଚି କାରକୁ ମନ୍ଦିର ସାମ୍ନାରେ ରଖିଥିଲେ। ପରେ ପରିବାର ଲୋକେ ପ୍ରସାଦ ସେବନ କରିବା ପାଇଁ ମନ୍ଦିର ଭିତରକୁ ଯାଇଥିଲେ।
ପ୍ରସାଦ ସେବନ କରି ଫେରିବା ପରେ କାର୍ର ବାମପାର୍ଶ୍ୱ କାଚ ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। କାର୍ ନିକଟରେ ଦୁଇଟି ମୋବାଇଲ ଫୋନ ପଡ଼ିଥିବା ବେଳେ ଗାଡ଼ି ଭିତରେ ରଖାଯାଇଥିବା ଦୁଇଟି ଭ୍ୟାନିଟି ବ୍ୟାଗ ନ ଥିଲା। ବ୍ୟାଗ୍ରେ କିଛି ସୁନା ଅଳଙ୍କାର ଓ ଟଙ୍କା ଥିବା ପରିବାର ସୂତ୍ରରୁ ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ନିରାକାରପୁର ପୋଳିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗକାରୀଙ୍କ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅଞ୍ଚଳ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ନିରାକାରପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ ସୂଚନା ଦେଇଛନ୍ତି।
ସେହିପରି ଦୁର୍ବୁତ୍ତମାନେ ୧୬ନମ୍ବର ଜାତୀୟ ରାଜପଥରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏନେଇ ଟାଙ୍ଗୀ ଥାନା ଏବଂ ନିରାକାରପୁର ଥାନା ପକ୍ଷରୁ ସିସି କ୍ୟାମେରାକୁ ଆଧାର କରି ଛାନ୍ଭିନ ଆରମ୍ଭ ହୋଇଛି । ହେଲେ ଦୁର୍ବୁତ୍ତମାନଙ୍କ କୌଣସି ପତ୍ତା ମିଳିପାରି ନାହିଁ।