Categories: Home Leftଖେଳ

ସଚିନଙ୍କ ଭଳି ହେବେ ବୈଭବ! BCCIର ୫ ପ୍ଲାନ୍‌ରେ ବଦଳିବ ଯୁବ ତାରକାଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୪।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ସ୍ବପ୍ନ ଦେଖୁଛି ବିସିସିଆଇ। ଭାରତୀୟ କ୍ରିକେଟ୍ର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଭଳି ବୈଭବଙ୍କ କ୍ୟାରିୟର ମଧ୍ୟ ଦୀର୍ଘ ଓ ସଫଳ ହେଉ ବୋଲି ବୋର୍ଡ ଚାହୁଁଛି। ସଚିନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ କ୍ରିକେଟର ସେବା କରିଥିଲେ। ଅନେକ ରେକର୍ଡ ଭାଙ୍ଗିବା ସହ ଦେଶକୁ ଅସଂଖ୍ୟ ମ୍ୟାଚ ଜିତାଇଥିଲେ। ଏହି କାରଣରୁ ତାଙ୍କୁ ‘କ୍ରିକେଟର ଭଗବାନ’ ବୋଲି କୁହାଯାଏ। ଏବେ ବୈଭବଙ୍କୁ ମଧ୍ୟ ଭବିଷ୍ୟତର ମହାନ କ୍ରିକେଟର ଭାବେ ଗଢ଼ିବାକୁ ବିସିସିଆଇ ଚାହୁଁଛି। ବିସିସିଆଇ ସଚିବ ସାଇକିଆ ମଧ୍ୟ କହିଛନ୍ତି ଯେ ବୈଭବଙ୍କ ଭଳି ଯୁବ ପ୍ରତିଭାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ପାଇଁ ଖେଳୁଥିବା ଦେଖିବାକୁ ସେ ଚାହୁଁଛନ୍ତି। ତେବେ ବୈଭବଙ୍କୁ ସଚିନଙ୍କ ସ୍ତରର ଖେଳାଳି କରିବା ପାଇଁ କେଉଁ କେଉଁ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିବ?

୧. ଦେବାକୁ ହେବ ସମ୍ପୂର୍ଣ୍ଣ ସମର୍ଥନ
ଜଣେ ଖେଳାଳି ଫ୍ଲୋରରୁ ଶୀର୍ଷକୁ ସେତେବେଳେ ପହଞ୍ଚେ, ଯେତେବେଳେ ତାଙ୍କ ଉପରେ ଦଳ ଓ ବୋର୍ଡର ସମ୍ପୂର୍ଣ୍ଣ ଭରସା ଥାଏ। ଖରାପ ସମୟରେ ମଧ୍ୟ ଟିମ ତାଙ୍କ ସହ ଛିଡ଼ା ହେବା ଜରୁରୀ। ସଚିନ ତେନ୍ଦୁଲକର, ବିରାଟ କୋହଲି, ଏମଏସ ଧୋନୀ ଓ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଏଭଳି ସମର୍ଥନ ମିଳିଥିଲା। ବୈଭବଙ୍କୁ ମଧ୍ୟ ସେହିଭଳି ଭରସା ଦେବାକୁ ପଡ଼ିବ।

୨. ଦୁର୍ବଳତା ଦୂର କରିବାକୁ ହେବ:
ପ୍ରତିଭା ଥିବା ସହ ଜଣେ ମହାନ ଖେଳାଳି ହେବା ପାଇଁ ନିରନ୍ତର ଶିଖିବା ଜରୁରୀ। ବୈଭବଙ୍କ ଭିତରେ ପ୍ରତିଭାର ଅଭାବ ନାହିଁ। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ଦୀର୍ଘ ସମୟ ରାଜ୍‌ କରିବାକୁ ହେଲେ ତାଙ୍କୁ ନିଜ ଦୁର୍ବଳତା ଉପରେ କାମ କରିବାକୁ ପଡ଼ିବ।

୩. ଫିଟନେସ ଉପରେ ଗୁରୁତ୍ୱ:
ଦୀର୍ଘ କ୍ରିକେଟ କ୍ୟାରିୟର ପାଇଁ ପ୍ରତିଭା ସହ ଫିଟନେସ ମଧ୍ୟ ଅତ୍ୟନ୍ତ ଜରୁରୀ। ସଚିନ, ଧୋନୀ ଓ ବିରାଟଙ୍କ ଦୀର୍ଘ କ୍ୟାରିୟର ପଛରେ ଫିଟନେସ୍‌ ମଧ୍ୟ ବଡ଼ ଭୂମିକା ରହିଛି। ବୈଭବ ଅତି କମ ବୟସରୁ ଅନ୍ତର୍ଜାତୀୟ ସ୍ତରରେ ପାଦ ରଖିଛନ୍ତି। ତେଣୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଖେଳିବାକୁ ହେଲେ ତାଙ୍କୁ ଫିଟନେସ, ଡାଏଟ ଓ ୱର୍କଲୋଡ ମ୍ୟାନେଜମେଣ୍ଟ ଉପରେ ନିୟମିତ ଧ୍ୟାନ ଦେବାକୁ ହେବ।

୪. ଅତିରିକ୍ତ ଚାପରୁ ଦୂରେଇ ରଖିବାକୁ ହେବ
ବୈଭବଙ୍କୁ ଅତିରିକ୍ତ ଚାପରୁ ଦୂରରେ ରଖିବା ମଧ୍ୟ ବିସିସିଆଇର ବଡ଼ ଦାୟିତ୍ୱ ହେବ। ଏତେ କମ ବୟସରେ ତାଙ୍କୁ ଅତିରିକ୍ତ ଦାୟିତ୍ୱ, ବିଶେଷକରି କ୍ୟାପ୍ଟେନ୍ସି ଦେଲେ ଏହା ତାଙ୍କ ଖେଳ ଉପରେ ପ୍ରଭାବ ପକାଇପାରେ। ଯଦିଓ ଅଧିନାୟକତ୍ୱ ଜଣେ ଖେଳାଳିଙ୍କୁ ନିଜ ଖେଳ ଉନ୍ନତ କରିବାର ସୁଯୋଗ ଦିଏ, ତଥାପି ଏହା ସହ ଅତିରିକ୍ତ ଚାପ ମଧ୍ୟ ଆସିଥାଏ। ସଚିନ ତେନ୍ଦୁଲକରଙ୍କ ଦୀର୍ଘ କ୍ୟାରିୟରରେ ମଧ୍ୟ ଅଧିନାୟକତ୍ୱ ଏକ ସମୟରେ ଚ୍ୟାଲେଞ୍ଜ ହୋଇଥିଲା।

୫. ଜଣେ ଭଲ ମେଣ୍ଟରଙ୍କ ଆବଶ୍ୟକତା:
ବୈଭବଙ୍କୁ ଜଣେ ବଡ଼ କ୍ରିକେଟର ଭାବେ ଗଢ଼ିବାରେ ମେଣ୍ଟରଙ୍କ ଭୂମିକା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ତାଙ୍କୁ ଏଭଳି ପରିବେଶ ଦେବା ଦରକାର, ଯେଉଁଠି ବରିଷ୍ଠ ଓ ମହାନ ଖେଳାଳିମାନଙ୍କଠାରୁ ସେ ନିରନ୍ତର ମାର୍ଗଦର୍ଶନ ପାଇପାରିବେ। ରାହୁଲ ଦ୍ରାବିଡ଼ ମଧ୍ୟ ବୈଭବଙ୍କ ସହ ସମୟ ସମୟରେ କଥା ହେଉଥିବା କୁହାଯାଉଛି। ଜଣେ ଭଲ ମେଣ୍ଟର ଯୁବ ପ୍ରତିଭାକୁ ସଠିକ ଦିଗ ଦେଖାଇପାରନ୍ତି। କାରଣ ଅନେକ ପ୍ରତିଭାଶାଳୀ ଖେଳାଳି ଉପଯୁକ୍ତ ମାର୍ଗଦର୍ଶନ ଅଭାବରୁ ନିଜ କ୍ୟାରିୟରରେ ଆଶାନୁରୂପ ସଫଳତା ପାଇପାରିନାହାନ୍ତି।

Odisha’s No.1 Odia Daily

Share