ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରି ଭାରତ ସିରଜ୍‌ରେ ୧-୦ରେ ଆଗୁଆ ରହିଛି। ତେଣୁ ଦ୍ୱିତୀୟ ମ୍ୟାଚ ଜିତି ଅଗ୍ରଣୀକୁ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ। ତେବେ ମ୍ୟାଚ ପୂର୍ବରୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଏଥର ଖେଳିବାର ସୁଯୋଗ ମିଳିବ କି? ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଗଲେ ଏହା ତାଙ୍କ ପାଇଁ ଭାରତୀୟ ମାଟିରେ ଏକ ସ୍ମରଣୀୟ ଅବସର ହୋଇପାରେ।
ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ କ୍ରିକେଟ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ମିଳିଥିଲେ ମଧ୍ୟ ଭାରତରେ ଖେଳିବାର ସୁଯୋଗକୁ ନେଇ ପ୍ରଶ୍ନ ଉଠୁଛି। ଘରୋଇ ମାଟିରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ କି ନାହିଁ, ତାହା ମ୍ୟାଚ ପୂର୍ବରୁ ଚର୍ଚ୍ଚାର ବିଷୟ ହୋଇଛି।
ତେବେ ଦଳରେ ସୁଯୋଗ ପାଇବା ସହ ତାହାକୁ ବଡ଼ ପ୍ରଦର୍ଶନରେ ପରିଣତ କରିବା ମଧ୍ୟ ବୈଭବଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ତାଙ୍କଠାରୁ ବଡ଼ ଇନିଂସ୍‌ର ଆଶା ରହିଥିବାରୁ ଏହି ମ୍ୟାଚ୍‌ର ସୁଯୋଗ ମିଳିଲେ ନିଜ ଦକ୍ଷତା ପ୍ରମାଣ କରିବାକୁ ପଡ଼ିବ।
ଏସିଆନ ଗେମ୍ସରେ ବୈଭବଙ୍କୁ ଦୁଇଟି ମ୍ୟାଚ୍ରେ ଖେଳିବାର ସୁଯୋଗ ମିଳିଥିଲା। ଶ୍ରୀଲଙ୍କା ବିପକ୍ଷ ସେମିଫାଇନାଲ୍‌ରେ ସେ ୩୮ ରନ କରିଥିବା ବେଳେ ପାକିସ୍ତାନ ବିପକ୍ଷ ଫାଇନାଲ୍‌ରେ ୧୫ ରନ କରିଥିଲେ। ଆରମ୍ଭ ଭଲ ହେଉଥିଲେ ମଧ୍ୟ ଏହାକୁ ବଡ଼ ସ୍କୋର୍‌ରେ ପରିଣତ କରିବାରେ ସେ ସଫଳ ହୋଇ ନ ଥିଲେ।
ଅନ୍ୟପଟେ, ଓପନର୍‌ ସଞ୍ଜୁ ସାମସନଙ୍କ ବ୍ୟାଟ୍‌ରୁ ମଧ୍ୟ ବଡ଼ ଇନିଂସ ଦେଖିବାକୁ ମିଳୁନାହିଁ। ଗତ ଚାରିଟି ଇନିଂସ୍‌ରେ ସେ କେବଳ ଥରେ ଦୁଇ ଅଙ୍କ ଛୁଇଁପାରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ପୂର୍ବ ମ୍ୟାଚ୍ରେ ସେ ୧୧ ରନ କରିଥିଲେ। ଏହା ପୂର୍ବରୁ ପାକିସ୍ତାନ ବିପକ୍ଷରେ ୨ ରନ, ଶ୍ରୀଲଙ୍କା ବିପକ୍ଷରେ ୭ ରନ ଏବଂ ଜାପାନ ବିପକ୍ଷରେ ୯ ରନ କରିଥିଲେ।

ସଞ୍ଜୁଙ୍କ ଏହି ଫର୍ମକୁ ଦେଖି ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହେବ କି ନାହିଁ, ତାହାକୁ ନେଇ ଆଲୋଚନା ଚାଲିଛି। ଯଦି ଦଳ ପରିଚାଳନା ବୈଭବଙ୍କୁ ସୁଯୋଗ ଦେବାକୁ ନିଷ୍ପତ୍ତି ନିଏ, ତେବେ ଆଜିର ମ୍ୟାଚ ତାଙ୍କ ପାଇଁ ନିଜକୁ ପ୍ରମାଣ କରିବାର ଏକ ବଡ଼ ମଞ୍ଚ ହୋଇପାରେ।

Dharitri – Odisha’s No.1 Odia Daily

 

Share