ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଚୂଡ଼ାନ୍ତ ଏକାଦଶ ଘୋଷଣା ସମୟରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ସେଥିରେ ନ ଥିଲା। ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ ସାମିଲ ହୋଇଥିବା ବୈଭବ ଏହି ମ୍ୟାଚ୍ ଜରିଆରେ ଆନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ (Debuts) କରିବେ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ। ଆଇପିଏଲ୍ ୨୦୨୬ ଏବଂ ଶ୍ରୀଲଙ୍କା ଗସ୍ତରେ ଖେଳାଯାଇଥିବା ତ୍ରିଦେଶୀୟ ସିରିଜ୍ରେ ସେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ ବେଞ୍ଚରେ ବସିବାକୁ ପଡ଼ିଛି।
ଟସ୍ ଜିତିବା ପରେ ଅଧିନାୟକ ଶ୍ରେୟସ ଆୟର ବୈଭବଙ୍କୁ ଦଳରେ ସୁଯୋଗ ନମିଳିବାର ପ୍ରକୃତ କାରଣ ସ୍ପଷ୍ଟ କରିଛନ୍ତି। ଆୟର କହିଛନ୍ତି, “ସୂର୍ଯ୍ୟବଂଶୀ ଜଣେ ଚମତ୍କାର ଓ ପ୍ରତିଭାବାନ ଖେଳାଳି, ମାତ୍ର ଏହି ମ୍ୟାଚ୍ରେ ସେ ବେଞ୍ଚରେ ଅଛନ୍ତି। ଆମେ ଦଳର ଅଭିଜ୍ଞ ଖେଳାଳିମାନଙ୍କୁ ନେଇ ହିଁ ପଡ଼ିଆକୁ ଓହ୍ଲାଇବାକୁ ସ୍ଥିର କରିଛୁ। ଉପଯୁକ୍ତ ସମୟ ଆସିଲେ ବୈଭବଙ୍କୁ ନିଶ୍ଚୟ ସୁଯୋଗ ମିଳିବ।”
ପୂର୍ବରୁ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ୍ ସିତାଂଶୁ କୋଟକ ମଧ୍ୟ ଏହାର ସଙ୍କେତ ଦେଇଥିଲେ। ସେ କହିଥିଲେ ଯେ, ଯଦି ବୈଭବଙ୍କୁ ଏବେ ସୁଯୋଗ ଦିଆଯାଏ, ତେବେ ପୂର୍ବରୁ କ୍ରମାଗତ ଭାବେ ରନ୍ ସଂଗ୍ରହ କରୁଥିବା ଅନ୍ୟ ଖେଳାଳିମାନେ ଦଳରୁ ବାଦ୍ ପଡ଼ିବେ, ଯାହା ଠିକ୍ ହେବନାହିଁ।
ଭାରତୀୟ ଦଳରେ ବୈଭବଙ୍କୁ ସୁଯୋଗ ମିଳି ନ ଥିବା ବେଳେ ଆୟରଲ୍ୟାଣ୍ଡ ଦଳରେ ଜଣେ ଭାରତୀୟ ବଂଶୋଦ୍ଭବ ଦ୍ରୁତ ବୋଲରଙ୍କୁ ସ୍ଥାନ ମିଳିଛି। ଏହି ଖେଳାଳି ଜଣକ ହେଉଛନ୍ତି ଜୟ ମୁନ୍ଦ୍ରା (Jay Mundra), ଯିଏକି ମୂଳତଃ ରାଜସ୍ଥାନର ବାସିନ୍ଦା। ଏହି ବାମହାତୀ ଦ୍ରୁତ ବୋଲର ଜଣକ ବଲ୍କୁ ଉଭୟ ଦିଗକୁ ସୁଇଂ କରାଇବାରେ ବେଶ୍ ମାହିର। ୨୪ ବର୍ଷ ବୟସରେ ସେ ଆୟରଲ୍ୟାଣ୍ଡ ଯାଇଥିଲେ ଏବଂ ଏବେ ସେହି ଦେଶ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳୁଛନ୍ତି।