ନୂଆଦିଲ୍ଲୀ,୨୬।୧୧: ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ଐତିହାସିକ ଇନିଂସ୍ ଖେଳି ଚର୍ଚ୍ଚାକୁ ଆସିଥିବା ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ସେମିଫାଇନାଲରେ ବଡ଼ ସ୍କୋର କରିପାରିନାହାନ୍ତି । ଶ୍ରୀଲଙ୍କା ଏ ବିପକ୍ଷ ମୁକାବିଲାରେ ସେ ୨୭ ବଲ୍ରୁ ୪୦ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଏହି ଛୋଟ ଇନିଂସ୍ରେ ମଧ୍ୟ ତାଙ୍କ ବ୍ୟାଟ୍ରୁ ତିନିଟି ଲମ୍ବା ଛକା ଦେଖିବାକୁ ମିଳିଥିଲା।
ୟୁଏଇ ବିପକ୍ଷରେ ୨୦୪ ରନ୍ର ଧମାକାଦାର ପାଳି ଖେଳି ଭାରତକୁ ବିଜୟ ଦେଇଥିବା ବୈଭବଙ୍କ ଉପରେ ସେମିଫାଇନାଲରେ ସମସ୍ତଙ୍କ ନଜର ରହିଥିଲା। ନେପାଳ ଓ ପାକିସ୍ତାନ ବିପକ୍ଷରେ ରନ୍ କରିପାରିନଥିବା ବୈଭବ ୟୁଏଇ ବିପକ୍ଷରେ ନିଜ ଦକ୍ଷତା ପ୍ରମାଣ କରିଥିଲେ । ମ୍ୟାଚ୍ ପରେ ସେ ସେମିଫାଇନାଲରେ ମଧ୍ୟ ବଡ଼ ସ୍କୋର କରିବାକୁ ଆଶା ରଖିଥିବା କହିଥିଲେ ।
ଶ୍ରୀଲଙ୍କା ଏ ବିପକ୍ଷରେ ବୈଭବ ଓ ଅଭିଷେକ ଶର୍ମା ଭାରତକୁ ଆକ୍ରମଣାତ୍ମକ ଆରମ୍ଭ ଦେଇଥିଲେ । ପ୍ରଥମ ୮ ଓଭରରେ ଉଭୟ ମିଶି ୮୦ ରନ୍ ଯୋଡ଼ିଥିଲେ । ବୈଭବ ନିଜ ଲୟରେ ଖେଳୁଥିବା ଦେଖାଯାଉଥିଲା। କିନ୍ତୁ ଏକ ଖରାପ ସଟ୍ ଖେଳି ସେ ଜନିଥ ଲିୟାନାଗେଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଛକା ମାରିବାକୁ ଯାଇ ଆଉଟ୍ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି । ତାଙ୍କ ଇନିଂସ୍ରେ ୪ଟି ଚୌକା ଓ ଛକା ସାମିଲ ଥିଲା। ସେ ୧୪୮.୧୫ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରିଥିଲେ।
ଗ୍ରୁପ୍ ଷ୍ଟେଜ୍ର ଶେଷ ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ୟୁଏଇ ବୋଲରଙ୍କୁ ଧୋଇଥିଲେ । ଭାରତ ସମ୍ମୁଖରେ ୟୁଏଇ ୨୫୦ ରନ୍ର ଲକ୍ଷ୍ୟ ରଖିଥିଲା। ଏହାର ଜବାବରେ ଭାରତ ୧୪.୨ ଓଭରରେ ୭ ୱିକେଟ୍ ହରାଇ ୨୫୪ ରନ୍ କରି ବିଜୟ ହାସଲ କରିଥିଲା। ୨୦୦ରୁ ଅଧିକ ରନ୍ର ଲକ୍ଷ୍ୟକୁ ଏତେ କମ୍ ଓଭରରେ ପିଛା କରିବା ଏକ ରେକର୍ଡ ଥିଲା।