ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ ବୈଭବ ୮୧ଟି ବଲରେ ୯୨ ରନ କରି ଆଉଟ ହୋଇଥିଲେ। ଯଦି ସେ ଆଉ ୮ ରନ କରିଥାନ୍ତେ, ତେବେ ୧୫ ବର୍ଷ ୧୫୭ ଦିନ ବୟସରେ ଫାର୍ଷ୍ଟ-କ୍ଲାସ କ୍ରିକେଟରେ ଶତକ ହାସଲ କରିଥିବା ଭାରତୀୟଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉଠିଥାନ୍ତେ। ଭାରତୀୟ କ୍ରିକେଟର ମହାନ ତାରକା ସଚିନ ତେନ୍ଦୁଲକର ୧୫ ବର୍ଷ ୨୩୦ ଦିନ ବୟସରେ ୧୯୮୮ରେ ରଣଜୀ ଟ୍ରଫି ମ୍ୟାଚରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ଅନ୍ୟପଟେ ବୈଭବଙ୍କ ବୟସ ଥିଲା ମାତ୍ର ୧୫ ବର୍ଷ ୧୫୭ ଦିନ। ଯଦି ସେ ଏହି ଇନିଂସରେ ଆଉ ୮ ରନ କରିଥାନ୍ତେ, ତେବେ ସଚିନଙ୍କ ରେକର୍ଡକୁ ପଛରେ ପକାଇ ଫାର୍ଷ୍ଟ-କ୍ଲାସ କ୍ରିକେଟରେ ଭାରତର ଦ୍ୱିତୀୟ ସବୁଠାରୁ କମ ବୟସର ଶତକଧାରୀ ହୋଇପାରିଥାନ୍ତେ। ଭାରତୀୟ କ୍ରିକେଟରେ ସବୁଠାରୁ କମ ବୟସରେ ଫାର୍ଷ୍ଟ-କ୍ଲାସ ଶତକ କରିବାର ରେକର୍ଡ ଧ୍ରୁବ ପାଣ୍ଡୋଭଙ୍କ ନାଁରେ ରହିଛି। ସେ ୧୪ ବର୍ଷ ୨୯୩ ଦିନ ବୟସରେ ୧୯୮୮ରେ ଶତକ ହାସଲ କରିଥିଲେ। ତେଣୁ ଏହି ମ୍ୟାଚରେ ଶତକରୁ ବଞ୍ଚିତ ହେବା ସତ୍ତ୍ୱେ ବୈଭବ ଏକ ବଡ଼ ରେକର୍ଡ ନିଜ ନାଁରେ କରିବାରେ ସଫଳ ହୋଇଛନ୍ତି। ବୈଭବ ୪୨ଟି ବଲରେ ଅର୍ଦ୍ଧଶତକ ପୂରଣ କରି ଦଲୀପ ଟ୍ରଫି ଇତିହାସରେ ସବୁଠାରୁ କମ ବୟସରେ ଫିଫ୍ଟି ମାରିଥିବା ବ୍ୟାଟର ହୋଇଛନ୍ତି।
ସେ ନିଜ ଇନିଂସରେ ୭ଟି ଚୌକା ଏବଂ ୭ଟି ଛକା ମାରିଥିଲେ। ହର୍ଷ ଦୁବେଙ୍କ ବଲରେ ଡିପ ମିଡ-ଉଇକେଟ୍ ଉପରେ ଶଟ ଖେଳିବାକୁ ଯାଇ ବାଉଣ୍ଡାରୀରେ ଥିବା ଫିଲ୍ଡରଙ୍କ ହାତରେ କ୍ୟାଚ ଦେଇ ବୈଭବ ଆଉଟ ହୋଇଥିଲେ।