ନୂଆଦିଲ୍ଲୀ,୧୬।୧୦: ଭାରତୀୟ କ୍ରିକେଟ୍ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଥିଲେ ମଧ୍ୟ ପ୍ରଥମ ୪ଟି ମ୍ୟାଚ୍ରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିନାହିଁ। ଏହାକୁ ନେଇ ଦଳର ଚୟନ ଓ ରଣନୀତି ଉପରେ ପ୍ରଶ୍ନ ଉଠିଛି।
ବୈଭବଙ୍କୁ ଦଳରେ ସାମିଲ କରାଯାଇଥିଲେ ମଧ୍ୟ ଖେଳିବାର ସୁଯୋଗ ନ ମିଳିବାକୁ ନେଇ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଆଲୋଚନା ଚାଲିଛି। ବିଶେଷକରି ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳରେ ଦଳ ଚୟନ ଓ ଖେଳାଳିଙ୍କୁ ସୁଯୋଗ ଦେବାର ଶୈଳୀକୁ ନେଇ ତୁଳନା ଆରମ୍ଭ ହୋଇଛି। ସେ ପାତରଅନ୍ତର କରୁଥିବା ଅଭିଯୋଗ ହୋଇଛି।
ଉପଲବ୍ଧ ତଥ୍ୟ ଅନୁଯାୟୀ, ଗମ୍ଭୀରଙ୍କ କୋଚିଂ ସମୟରେ ୧୪ଟି ଦଳ ଘୋଷଣା ହୋଇଥିବା ବେଳେ ମାତ୍ର ୩ଟି ଭିନ୍ନ ଚୂଡ଼ାନ୍ତ ଏକାଦଶ ଖେଳିଥିବା ଦାବି କରାଯାଉଛି। ଅନ୍ୟପକ୍ଷରେ ଭିଭିଏସ ଲକ୍ଷ୍ମଣଙ୍କ କୋଚିଂରେ ୫ଟି ଦଳ ଘୋଷଣା ହୋଇଥିବା ବେଳେ ସେହି ୫ଟି ଦଳ ମ୍ୟାଚ ଖେଳିବାର ସୁଯୋଗ ପାଇଥିବା ତୁଳନାରେ ଦର୍ଶାଯାଇଛି।
ବୈଭବ ସୂର୍ଯ୍ୟବଂଶୀ ଏପର୍ଯ୍ୟନ୍ତ ୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨୪୬ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୩୦.୭୫ ରହିଥିବା ବେଳେ ଷ୍ଟ୍ରାଇକ ରେଟ ୧୮୬.୩୬। ଏହି ଫର୍ମାଟ୍ରେ ସେ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ଏବଂ ତାଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ୮୧ ରନ। ବୈଭବ ଜୁଲାଇ ୨୦୨୬ରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିଲେ ଏବଂ ତାଙ୍କର ୮ଟି ଯାକ ମ୍ୟାଚ ବିଦେଶରେ ଖେଳାଯାଇଥିଲା।
ଭଲ ପ୍ରଦର୍ଶନ ସତ୍ତ୍ୱେ ବୈଭବଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ନ ମିଳିବା ଯୁବ ଖେଳାଳିଙ୍କୁ ନେଇ ଦଳର ଯୋଜନା ଉପରେ ଆଲୋଚନାକୁ ଆହୁରି ତୀବ୍ର କରିଛି। ତେବେ ତାଙ୍କୁ ଖେଳାଇବା କିମ୍ବା ବିଶ୍ରାମ ଦେବା ପଛରେ ଦଳ ପରିଚାଳନାର ନିର୍ଦ୍ଦିଷ୍ଟ କାରଣ କ’ଣ, ତାହା ସ୍ପଷ୍ଟ ହେବା ବାକି ରହିଛି।