ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ମ୍ୟାଚ୍‌ ଶେଷରେ ପ୍ରତିପକ୍ଷ ଶ୍ରୀଲଙ୍କା ‘ଏ’ ଦଳର ଜଣେ ଖେଳାଳିଙ୍କୁ ଧକ୍କା ମାରି ବିବାଦକୁ ଆସିଛନ୍ତି। ଏହି ଘଟଣାରେ ମ୍ୟାଚ୍‌ ରେଫରୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି।
ରିପୋର୍ଟ ଅନୁଯାୟୀ, ୧୫ ବର୍ଷୀୟ ବୈଭବଙ୍କର ୫୦ ପ୍ରତିଶତ ମ୍ୟାଚ୍‌ ଫି’ କାଟି ଦିଆଯାଇଛି। କେବଳ ସୂର୍ଯ୍ୟବଂଶୀ ନୁହନ୍ତି, ବରଂ ତାଙ୍କ ସହ ଝଗଡ଼ା କରିଥିବା ଶ୍ରୀଲଙ୍କାର ଖେଳାଳି ବିଶେନ ହାଲାମ୍ବାଗେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କର ମଧ୍ୟ ୫୦ ପ୍ରତିଶତ ମ୍ୟାଚ୍‌ ଫି’ କଟାଯାଇଛି।
ଇଣ୍ଡିଆ ‘ଏ’ ଏବଂ ଶ୍ରୀଲଙ୍କା ‘ଏ’ ମଧ୍ୟରେ ମ୍ୟାଚ୍‌ ଶେଷ ହେବା ପରେ ଏହି ସଂଘର୍ଷ ଘଟିଥିଲା। ମ୍ୟାଚ୍‌ ଜିତିବା ପରେ ଶ୍ରୀଲଙ୍କା ‘ଏ’ ଦଳର ଖେଳାଳିମାନେ ଅତ୍ୟନ୍ତ ଆକ୍ରମଣାତ୍ମକ ଢଙ୍ଗରେ ସେଲିବ୍ରେଶନ (ଉତ୍ସବ) ମନାଉଥିଲେ। ଏହି ସମୟରେ ବିଶେନ ହାଲାମ୍ବାଗେ ବୈଭବ ସୂର୍ଯ୍ୟବଂଶୀଙ୍କୁ କିଛି ବ୍ୟକ୍ତିଗତ ଆକ୍ଷେପ ବା ମନ୍ତବ୍ୟ ଦେଇଥିଲେ। ଏଥିରେ ବୈଭବ ଉତକ୍ଷିପ୍ତ ହୋଇ ଶ୍ରୀଲଙ୍କା ଖେଳାଳିଙ୍କ ପାଖକୁ ଯାଇ ଜବାବ ଦେବା ଆରମ୍ଭ କରିଥିଲେ।
ପରବର୍ତ୍ତୀ ସମୟରେ ଉଭୟ ବିଶେନ ଏବଂ ବୈଭବଙ୍କ ମଧ୍ୟରେ ଧକ୍କାମୁକ୍କି ପରିସ୍ଥିତି ସୃଷ୍ଟି ହୋଇଥିଲା।
ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ କଥା କହିଲେ, ଏହି ଟ୍ରାଇ ସିରିଜ୍‌ରେ ସେ ଏପର୍ଯ୍ୟନ୍ତ କିଛି ଚମକ ଦେଖାଇ ପାରିନାହାନ୍ତି। ସେ ୪ଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଗୋଟିଏ ହେଲେ ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି। ଆଫଗାନିସ୍ତାନ ବିପକ୍ଷରେ ସେ ୨୮ଟି ବଲ୍‌ରୁ ୩୮ ରନର ଏକ ଇନିଂସ ଖେଳିଥିଲେ, ଯେଉଁଥିରେ ସେ ଦୁଇଟି ଜୀବନଦାନ ମଧ୍ୟ ପାଇଥିଲେ, କିନ୍ତୁ ଏହାର ବଡ଼ ସୁଯୋଗ ନେଇପାରିଲେ ନାହିଁ।
ଏସବୁ ବିବାଦ ଭିତରେ ଇଣ୍ଡିଆ ‘ଏ’ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ଦଳ ଆଫଗାନିସ୍ତାନ ‘ଏ’ ବିପକ୍ଷରେ ୧୦୧ ରନର ଏକ ଦମଦାର ବିଜୟ ହାସଲ କରିଛି। ଏହି ବିଜୟ ସହ ଟିମ ଇଣ୍ଡିଆ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବା ସହ ଫାଇନାଲରେ ନିଜ ସ୍ଥାନ ପ୍ରାୟ ପକ୍କା କରିଛି।
Dharitri – Odisha’s No.1 Odia Daily

Share