ନୂଆଦିଲ୍ଲୀ,୨୪।୧୧: ଇଣ୍ଡିଆ-ଏ (India-A) ପାଇଁ ବୈଭବ ସୂର୍ଯ୍ୟବଂଶୀ ୨୦୪ ରନ୍ର ବିସ୍ଫୋରକ ପାଳି ଖେଳିଛନ୍ତି। ମଙ୍ଗଳବାର (୨୪ ନଭେମ୍ୱର) ୨୦୨୬ ରାଇଜିଂ ଷ୍ଟାର ଏସିଆ କପ୍ରେ ଇଣ୍ଡିଆ-ଏ ଏବଂ ୟୁଏଇ (UAE) ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ବୈଭବ ବହୁ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ସେ ସବୁଠାରୁ ଦ୍ରୁତ ଲିଷ୍ଟ-ଏ ଶତକ ଏବଂ ସବୁଠାରୁ ଦ୍ରୁତ ଦ୍ୱିଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ବୈଭବ ସବୁଠାରୁ ଦ୍ରୁତ ୧୫୦ ରନ କରିବା ବିଶ୍ୱ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି। ମ୍ୟାଚ ପରେ ବୈଭବ କହିଛନ୍ତି ଯେ ସେ ଯୋଜନା ମୁତାବକ ଏତେ ବଡ଼ ପାଳି ଖେଳିଥିଲେ।
ଟୁର୍ନାମେଣ୍ଟର ପ୍ରାରମ୍ଭିକ ୨ଟି ମ୍ୟାଚରେ ବୈଭବ ଫ୍ଲପ ରହିଥିଲେ। ନେପାଳ ବିପକ୍ଷ ପ୍ରଥମ ମ୍ୟାଚ୍ରେ ବୈଭବ ୨୬ ରନ କରିପାରିଥିଲେ। ଏହା ପରେ ପାକିସ୍ତାନ-ଏ ବିପକ୍ଷରେ ବୈଭବ ମାତ୍ର ୧୧ ରନରେ ଆଉଟ ହୋଇଯାଇଥିଲେ। ସେ କହିଛନ୍ତି ଯେ ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ରେ ସେ ଶୀଘ୍ର ଆଉଟ ହୋଇଯାଇଥିଲେ, ଯାହା ପରେ ପରବର୍ତ୍ତୀ ମ୍ୟାଚ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।
୨୦୪ ରନ୍ର ଧୂଆଁଧାର ପାଳି ପରେ ବୈଭବ ସୂର୍ଯ୍ୟବଂଶୀ କହିଛନ୍ତି, “ଗତ ୨ଟି ମ୍ୟାଚରେ ମୁଁ ସେଟ ତ ହୋଇଥିଲି କିନ୍ତୁ ବଡ଼ ସ୍କୋର କରିପାରିନଥିଲି। ତେଣୁ ଯୋଜନା ଏହା ଥିଲା ଯେ ପଡ଼ିଆକୁ ଯାଇ ଆରମ୍ଭରେ ଟିକେ ସମୟ ନିଆଯିବ। କିନ୍ତୁ ଗୋଟିଏ-ଦୁଇଟି ବଲ ଖେଳିବା ପରେ ମୋତେ ଲାଗିଲା ଯେ ବୋଲରମାନଙ୍କୁ ପିଚ୍ରୁ ଅଧିକ ସହାୟତା ମିଳୁନାହିଁ, ତେଣୁ ମୁଁ ନିଜ ଦକ୍ଷତା ଉପରେ ଭରସା ରଖିଲି।”
ବୈଭବ ଆଗକୁ କହିଛନ୍ତି, “ମୋ ମନରେ କିଛି ଖାସ ଚାଲିନଥିଲା। ବାସ୍ ଏହା ହିଁ ଚିନ୍ତା ଥିଲା ଯେ ଯଦି ୱିକେଟରୁ ବୋଲରମାନଙ୍କୁ ସହାୟତା ମିଳୁଛି, ତେବେ ମୁଁ ଟିକେ ସମୟ ନେବି ଏବଂ ଲମ୍ୱା ପାଳି ଖେଳିବି। କିନ୍ତୁ ଭଲ କଥା ଏହା ରହିଲା ଯେ ସେମିତି ନଥିଲା। ୱିକେଟ ଭଲ ଥିଲା, ବଲ ବ୍ୟାଟରେ ଭଲ ଭାବେ ଆସୁଥିଲା, ତେଣୁ ମୁଁ ନିଜ ଖେଳ ଉପରେ ଭରସା ରଖିଲି।”
୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ମାନସିକତାକୁ ନେଇ କହିଛନ୍ତି, “କିଛି ଅଲଗା ନୁହେଁ। ଚିନ୍ତାଧାରା ସେହି ସମାନ ଥିଲା – ଲମ୍ୱା ପାଳି ଖେଳିବାକୁ ଚେଷ୍ଟା କରିବା। ଯଦି ଆରମ୍ଭରେ ଖେଳ ମୋ ନିୟନ୍ତ୍ରଣରେ ନଥାନ୍ତା, ତେବେ ମୁଁ ଟିକେ ସମୟ ନେଇଥାନ୍ତି। କିନ୍ତୁ ଭଲ କଥା ଏହା ରହିଲା ଯେ ମୁଁ ଶୀଘ୍ର ଖେଳ ଉପରେ ନିୟନ୍ତ୍ରଣ ପାଇଗଲି, ଏବଂ ତା’ପରେ ମୁଁ ନିଜ ହିସାବରେ ଖେଳ ଖେଳିଲି।”