ନୂଆଦିଲ୍ଲୀ୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି ବଡ଼ ସୁଯୋଗ। ବୈଭବ ଇତିମଧ୍ୟରେ ଭାରତ ପାଇଁ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିସାରିଛନ୍ତି। କିନ୍ତୁ ଆଫଗାନିସ୍ତାନ ବିପକ୍ଷ ସିରିଜରେ ତାଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ଅପେକ୍ଷା କରୁଛି। ଯଦି ତାଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳେ, ତେବେ ସେ ପ୍ରଥମ ଥର ପାଇଁ ଭାରତ ମାଟିରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ।
ତେବେ ଅଧିନାୟକ ଶ୍ରେୟସ ଆୟର ବୈଭବଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିବ। କାରଣ ଭାରତୀୟ ଦଳରେ ଏଥର ତିନି ଜଣ ଓପନର୍ ରହିଛନ୍ତି, କିନ୍ତୁ ତିନିଜଣଙ୍କ ମଧ୍ୟରୁ କେବଳ ଦୁଇଜଣଙ୍କୁ ହିଁ ସୁଯୋଗ ମିଳିପାରିବ। ବୈଭବ ସୂର୍ଯ୍ୟବଂଶୀ ୪ ଜୁଲାଇ ୨୦୨୬ରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ଡେବ୍ୟୁ ଟି-୨୦ ଇଣ୍ଟରନ୍ୟାଶନାଲରେ ସେ ମାତ୍ର ୧୪ ରନ କରି ଆଉଟ ହୋଇଥିଲେ।
ଇଂଲଣ୍ଡ ଗସ୍ତରେ ବୈଭବ ମୋଟ ୩ଟି ମ୍ୟାଚ ଖେଳିଥିଲେ, କିନ୍ତୁ ତାଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ମିଳିନଥିଲା। ଏହାପରେ ଜିମ୍ବାୱେ ବିପକ୍ଷ ସିରିଜରେ ସେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ସେଠାରେ ଖେଳିଥିବା ୩ଟି ଟି-୨୦ ମ୍ୟାଚରୁ ୨ଟିରେ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଏପର୍ଯ୍ୟନ୍ତ ବୈଭବ ଭାରତ ମାଟିରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହାନ୍ତି।
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସିରିଜର ପ୍ରଥମ ଟି-୨୦ ମ୍ୟାଚ ସେପ୍ଟେମ୍ବର ୧୩ରେ ଦିଲ୍ଲୀରେ ଖେଳାଯିବ। ଯଦି ଏହି ମ୍ୟାଚରେ ବୈଭବଙ୍କୁ ପ୍ଲେଇଂ ଇଲେଭେନ୍ରେ ସ୍ଥାନ ମିଳେ, ତେବେ ଏହା ତାଙ୍କ କ୍ୟାରିୟରରେ ଏକ ବଡ଼ ମୁହୂର୍ତ୍ତ ହେବ। ଘରୋଇ କ୍ରିକେଟରେ ବୈଭବ ଅନେକ ମ୍ୟାଚ ଖେଳିବା ସହ ବଡ଼ ବଡ଼ ସ୍କୋର ମଧ୍ୟ କରିଛନ୍ତି। କିନ୍ତୁ ଭାରତୀୟ ଜର୍ସିରେ ନିଜ ଦେଶର ମାଟିରେ ପ୍ରଥମ ଥର ପାଇଁ ଖେଳିବାର ଅନୁଭୂତି ନିଶ୍ଚିତ ଭାବେ ତାଙ୍କ ପାଇଁ ଖାସ୍ ହେବ। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ସଞ୍ଜୁ ସାମସନ, ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଏହି ତିନିଜଣ ଓପନର୍ ରହିଛନ୍ତି।
ଜିମ୍ବାୱେ ସିରିଜ ସମୟରେ ସଞ୍ଜୁ ସାମସନଙ୍କୁ ଦଳରୁ ବାଦ ଦିଆଯାଇଥିଲା। ଏବେ ସେ ପୁଣି ଦଳକୁ ଫେରିଛନ୍ତି। ଅନ୍ୟପଟେ ଇଶାନ କିଶନ ତୃତୀୟ ନମ୍ବରରେ ଖେଳୁଥିବାରୁ ତିନି ଓପନରର୍ସଙ୍କୁ ମଧ୍ୟରୁ କେବଳ ଦୁଇଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବ।
ଏଭଳି ସ୍ଥିତିରେ ଅଧିନାୟକ ଶ୍ରେୟସ ଆୟର କେଉଁ ଦୁଇ ଓପନର୍ଙ୍କ ଉପରେ ଭରସା କରିବେ, ତାହା ଦେଖିବା ରୋଚକ ହେବ। ଯେଉଁ ଖେଳାଳିଙ୍କୁ ବାହାରେ ବସିବାକୁ ପଡ଼ିବ, ତାଙ୍କୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର୍ ଧରିପାରେ।