ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ ଉପରେ ଅସନ୍ତୁଷ୍ଟ ଥିବା ଖବର ସାମ୍ନାକୁ ଆସିଛି। ରାଜସ୍ଥାନ ରୟାଲ୍ସର ଏହି ଓପନର ଏବେ ଫିଲ୍ଡିଂ କରିବାକୁ ନେଇ ଜିଦ ଧରିଛନ୍ତି।

ରାଜସ୍ଥାନର ଫିଲ୍ଡିଂ କୋଚ ଟ୍ରେଭର ପେନି ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ଯେ, ବୈଭବ ମୁଖ୍ୟ ପ୍ଲେଇଂ-୧୧ରେ ସ୍ଥାନ ପାଉ ନ ଥିବାରୁ ନିରାଶ ଅଛନ୍ତି। ବର୍ତ୍ତମାନ ଦଳ ତାଙ୍କୁ କେବଳ ’ଇମ୍ପାକ୍ଟ ପ୍ଲେୟାର’ (Impact Player) ଭାବେ ବ୍ୟବହାର କରୁଛି, କିନ୍ତୁ ସୂର୍ଯ୍ୟବଂଶୀ ମଇଦାନରେ ଫିଲ୍ଡିଂ ମଧ୍ୟ କରିବାକୁ ଚାହୁଁଛନ୍ତି।

କୋଚ ପେନିଙ୍କ ଅନୁଯାୟୀ, ଦଳର ଅନ୍ୟତମ ଖେଳାଳି ଡୋନୋଭାନ ଫେରେରା ଫିଟନେସ ଟେଷ୍ଟରେ ପାସ କରିଛନ୍ତି ଏବଂ ସେ ଜଣେ ଅସାଧାରଣ ଫିଲ୍ଡର। ବୈଭବଙ୍କ ଫିଲ୍ଡିଂ ଭଲ ହୋଇଥିଲେ ମଧ୍ୟ ଫେରେରାଙ୍କ ଦକ୍ଷତା ଅଧିକ। ତେଣୁ ଦଳର ସନ୍ତୁଳନ ରକ୍ଷା ପାଇଁ ଆଗାମୀ ମ୍ୟାଚ୍‌ଗୁଡ଼ିକରେ ମଧ୍ୟ ବୈଭବଙ୍କ ଅପେକ୍ଷା ଫେରେରାଙ୍କୁ ଫିଲ୍ଡିଂରେ ଅଗ୍ରାଧିକାର ଦିଆଯିବ।

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ବୈଭବଙ୍କ ପାଇଁ ନୈରାଶ୍ୟଜନକ ରହିଥିଲା। ଏହି ମ୍ୟାଚ୍‌ରେ ସେ ଫିଲ୍ଡିଂ କରିବାର ସୁଯୋଗ ପାଇ ନ ଥିଲେ ଏବଂ ବ୍ୟାଟିଂରେ ମଧ୍ୟ ପ୍ରଥମ ବଲ୍‌ରେ ଶୂନରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ତେବେ ଏହାକୁ ଛାଡ଼ିଲେ ଚଳିତ ସିଜନରେ ସେ ଦମଦାର ପ୍ରଦର୍ଶନ କରିଛନ୍ତି। ୫ ମ୍ୟାଚ୍‌ରେ ସେ ମୋଟ ୨୦୦ ରନ (ସର୍ବାଧିକ ରନ ସଂଗ୍ରହକାରୀ ତାଲିକାରେ ୩ୟ)। ଏଥିରେ ତାଙ୍କର ୧୮ଟି ଛକା ଏବଂ ୧୮ଟି ଚୌକା ରହିଛି।

ଏସବୁ ମଧ୍ୟରେ ବୈଭବଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ମଧ୍ୟ ଆସିଛି। ରିପୋର୍ଟ ଅନୁଯାୟୀ, ଆଗାମୀ ଆୟରଲାଣ୍ଡ ସିରିଜ ପାଇଁ ବିସିସିଆଇ (BCCI) ଯେଉଁ ୧୭ ଜଣିଆ ଖେଳାଳିଙ୍କ ତାଲିକା ଭିସା ପାଇଁ ପଠାଇଛି, ସେଥିରେ ବୈଭବଙ୍କ ନାମ ସାମିଲ ଅଛି। ଯଦି ସବୁକିଛି ଠିକ ରହେ, ତେବେ ଖୁବଶୀଘ୍ର ସେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି।

Dharitri – Odisha’s No.1 Odia Daily