ନୂଆଦିଲ୍ଲୀ, ୨୮।୧୦: ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଏଠାରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଟିମ ଇଣ୍ଡିଆ ସିରିଜରେ ଅପରାଜେୟ ଅଗ୍ରଣୀ ହାସଲ କରିଛି। ଅକ୍ଟୋବର ୨୭ରେ ଖେଳାଯାଇଥିବା ସିରିଜର ତୃତୀୟ ମ୍ୟାଚରେ ଭାରତୀୟ ଦଳ ୧୯୯ ରନର ଟାର୍ଗେଟକୁ ମାତ୍ର ୧୩.୨ ଓଭରରେ ୪ ଉଇକେଟ୍ ହରାଇ ହାସଲ କରିଥିଲା। ଏହି ମ୍ୟାଚରେ ଓପନିଂ ବ୍ୟାଟର ଅଭିଷେକ ଶର୍ମା ଶତକୀୟ ଇନିଂସ ଖେଳିଥିବା ବେଳେ ତାଙ୍କ ସହ ପାଳି ଆରମ୍ଭ କରିଥିବା ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।
ବୈଭବ ମାତ୍ର ୧୯ଟି ବଲ୍ରେ ୪ଟି ଚୌକା ଓ ୪ଟି ଛକା ସହ ୪୫ ରନର ଧମାକାଦାର ଇନିଂସ ଖେଳିଥିଲେ। ଏହି ପ୍ରଦର୍ଶନ ବଳରେ ସେ ଆଇସିସି ପକ୍ଷରୁ ଅକ୍ଟୋବର ୨୮ରେ ଜାରି ହୋଇଥିବା ସଦ୍ୟତମ ଟି-୨୦ ବ୍ୟାଟିଂ ରାଙ୍କିଂର ଟପ-୫୦ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଇଶାନ କିଶନ ଆହତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା। ସେହି ମ୍ୟାଚରେ ସେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିଲେ ମଧ୍ୟ ବ୍ୟାଟରେବିଶେଷ କମାଲ ଦେଖାଇପାରି ନଥିଲେ। କିନ୍ତୁ ତୃତୀୟ ଟି-୨୦ ମ୍ୟାଚରେ ତାଙ୍କୁ ଓପନିଂ କରିବାର ସୁଯୋଗ ମିଳିଥିଲା। ଏଠାରେ ସେ ଅଭିଷେକ ଶର୍ମାଙ୍କ ସହ ମିଶି ଭାରତୀୟ ଦଳକୁ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଉଇକେଟ୍ ପାଇଁ ୧୩୩ ରନର ଭାଗୀଦାରି କରିଥିଲେ, ଯାହା ମ୍ୟାଚକୁ ସମ୍ପୂର୍ଣ୍ଣ ଭାବେ ଏକପାଖିଆ କରିଦେଇଥିଲା।
ମାତ୍ର ୧୫ ବର୍ଷ ବୟସରେ ବୈଭବ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ତୃତୀୟ ମ୍ୟାଚରେ ଖେଳିଥିବା ୪୫ ରନର ଇନିଂସ ଯୋଗୁ ସେ ଆଇସିସିର ସଦ୍ୟତମ ଟି-୨୦ ବ୍ୟାଟିଂ ରାଙ୍କିଂରେ ୯ଟି ସ୍ଥାନ ଉପରକୁ ଉଠି ୪୫ତମ ସ୍ଥାନରେ ପହଞ୍ଚିଛନ୍ତି। ଯଦି ସିରିଜର ବାକି ଦୁଇଟି ମ୍ୟାଚରେ ମଧ୍ୟ ସେ ନିଜ ବ୍ୟାଟରେ କମାଲ ଦେଖାଇବାରେ ସଫଳ ହୁଅନ୍ତି, ତେବେ ତାଙ୍କ ରାଙ୍କିଂରେ ଆହୁରି ଉନ୍ନତି ହୋଇପାରେ।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚରେ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଅଲ୍ରାଉଣ୍ଡର ନମନ ଧୀର ମଧ୍ୟ ଆଇସିସି ଟି-୨୦ ରାଙ୍କିଂରେ ବଡ଼ ଉନ୍ନତି କରିଛନ୍ତି। ସେ ମୋଟ ୩୨୦ଟି ସ୍ଥାନ ଉପରକୁ ଉଠିଛନ୍ତି।
ତେବେ ଟପ-୧୦୦ ଖେଳାଳିଙ୍କ ତାଲିକାରେ ସାମିଲ ହେବା ପାଇଁ ତାଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ବର୍ତ୍ତମାନ ସେ ଟି-୨୦ ବ୍ୟାଟିଂ ରାଙ୍କିଂରେ ୫୦୪ତମ ସ୍ଥାନରେ ଥିବା ବେଳେ ଅଲ୍ରାଉଣ୍ଡର ରାଙ୍କିଂରେ ୨୮୮ତମ ସ୍ଥାନରେ ରହିଛନ୍ତି।