ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
ଆଇସିସି (ICC) ଦ୍ୱାରା ପ୍ରକାଶିତ ତାଜା ଟି-୨୦ ଅନ୍ତର୍ଜାତୀୟ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍ରେ ବୈଭବ ଏକାଥରକେ ୨୩୦ରୁ ସିଧାସଳଖ ଟପ-୫୦ ଖେଳାଳିଙ୍କ କ୍ଲବ ଭିତରେ ସ୍ଥାନ ହାସଲ କରିଛନ୍ତି। ତାଙ୍କର ଏହି ଦମଦାର ପ୍ରଦର୍ଶନ ତାଙ୍କୁ ବିଶ୍ୱର ସବୁଠାରୁ ଚର୍ଚ୍ଚିତ ଏବଂ ପ୍ରତିଭାବାନ ଯୁବ କ୍ରିକେଟରଙ୍କ ତାଲିକାରେ ସାମିଲ କରିଛି।
ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ତିନିମ୍ୟାଚ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ବୈଭବ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟାଟିଂ କରିଥିଲେ। ସେ ଏହି ୩ଟି ମ୍ୟାଚରେ ମୋଟ ୧୫୧ ରନ ସଂଗ୍ରହ କରିଥିବାବେଳେ ୨ଟି ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ସିରିଜରେ ତାଙ୍କର ବ୍ୟାଟିଂ ହାରାହାରି ୫୦.୩୩ ରହିଥିଲା। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ବଳରେ ଭାରତୀୟ ଦଳ ସିରିଜରେ ୩-୦ରେ କ୍ଲିନ ସୁଇପ କରିବାରେ ସଫଳ ହୋଇଥିଲା।