ଜୟପୁର,୨୬।୪: ମାତ୍ର ୧୩ ବର୍ଷ ବୟସରେ IPL ନିଲାମୀରେ ଇତିହାସ ରଚିଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ମାତ୍ର ୩୬ ବଲରେ ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିବା ଏହି ବ୍ୟାଟରଙ୍କୁ କାନ୍ଧରେ ବୋହି ପଡ଼ିଆ ବାହାରକୁ ନିଆଯାଇଥିଲା, ଯାହାପରେ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି।
ରାଜସ୍ଥାନ ରୟାଲ୍ସ (RR) ପକ୍ଷରୁ ଖେଳୁଥିବା ବୈଭବଙ୍କୁ ଏହି ଆଘାତ SRH ଇନିଂସର ତୃତୀୟ ଓଭରରେ ଲାଗିଥିଲା। ଇଶାନ କିଷାନଙ୍କ ଏକ ସଟ୍କୁ ରୋକିବାକୁ ଚେଷ୍ଟା କଲାବେଳେ ତାଙ୍କର ହ୍ୟାମଷ୍ଟ୍ରିଙ୍ଗ (Hamstring) ଟାଣି ହୋଇଯାଇଥିଲା। ଯନ୍ତ୍ରଣାରେ ସେ ପଡ଼ିଆରେ ବସି ପଡ଼ିଥିଲେ ଏବଂ ଚାଲିବାକୁ ଅସମର୍ଥ ହେବାରୁ ଫିଜିଓଙ୍କ ସାହାଯ୍ୟରେ ବାହାରକୁ ଯାଇଥିଲେ।
ବୈଭବଙ୍କ ସାଙ୍ଗ ତଥା CSK ଖେଳାଳି ଆୟୁଷ ମ୍ହାତ୍ରେ ମଧ୍ୟ ସମାନ ଭାବେ SRH ବିପକ୍ଷ ମ୍ୟାଚରେ ହ୍ୟାମଷ୍ଟ୍ରିଙ୍ଗ ଇଞ୍ଜୁରିର ଶିକାର ହୋଇ IPL ୨୦୨୬ ରୁ ବାହାର ହୋଇସାରିଛନ୍ତି। ବର୍ତ୍ତମାନ ବୈଭବଙ୍କ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି, ଯାହା ଫଳରେ ସେ ଟୁର୍ନାମେଣ୍ଟରୁ ବାହାରିଯିବେ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି।
ରାଜସ୍ଥାନ ରୟାଲ୍ସର ବ୍ୟାଟିଂ କୋଚ ବିକ୍ରମ ରାଠୋର ବୈଭବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କହିଛନ୍ତି ଯେ, ଆଘାତ ବହୁତ ଗୁରୁତର ଜଣାପଡ଼ୁନାହିଁ। ପ୍ରାଥମିକ ଚିକିତ୍ସା ପରେ ବୈଭବ ପୂର୍ବ ଅପେକ୍ଷା ଭଲ ଅନୁଭବ କରୁଛନ୍ତି। ଆଗାମୀ ୧-୨ ଦିନ ମଧ୍ୟରେ ସ୍କାନ ରିପୋର୍ଟ ଆସିବା ପରେ ପ୍ରକୃତ ସ୍ଥିତି ଜଣାପଡ଼ିବ।
ତେବେ ମ୍ୟାଚ ଶେଷ ହେବା ପରେ ବୈଭବ ପଡ଼ିଆରେ ହାଇଦ୍ରାବାଦ ଖେଳାଳିଙ୍କ ସହ ହାତ ମିଳାଉଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁହଁରେ ହସ ଦେଖି ଅନୁମାନ କରାଯାଉଛି ଯେ, ସେ ଶୀଘ୍ର ସୁସ୍ଥ ହୋଇ ପଡ଼ିଆକୁ ଫେରିବେ ଏବଂ ଆୟୁଷଙ୍କ ଭଳି ତାଙ୍କୁ ଆଇପିଏଲ ଅଧାରୁ ଛାଡ଼ିବାକୁ ପଡ଼ିବ ନାହିଁ।