ନୂଆଦିଲ୍ଲୀ,୨୫।୪: ଆଇପିଏଲ୍ରେ ନିଜର ବ୍ୟାଟିଂ ଯାଦୁରେ ସମସ୍ତଙ୍କୁ ଚକିତ କରିଦେଇଥିବା ରାଜସ୍ଥାନ ରୟାଲ୍ସର ଷ୍ଟାର୍ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଆହତ ହୋଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ସେ ଏକ ବିସ୍ଫୋରକ ଶତକ ହାସଲ କରି ଦଳର ସ୍କୋରକୁ ୨୨୮ ରନରେ ପହଞ୍ଚାଇଥିଲେ। କିନ୍ତୁ ଏହି ଖୁସି ବେଶୀ ସମୟ ରହି ନ ଥିଲା। କାରଣ ଫିଲ୍ଡିଂ ସମୟରେ ଆଘାତ ହେବା ଯୋଗୁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଛି।
ଏହି ମ୍ୟାଚ୍ର ପ୍ରଥମ ଇନିଂସ ସମ୍ପୂର୍ଣ୍ଣ ଭାବେ ବୈଭବଙ୍କ ନାମରେ ରହିଥିଲା। ମାତ୍ର ୩୭ଟି ବଲ୍ର ସାମ୍ନା କରି ସେ ୧୦୩ ରନର ଏକ ଦମଦାର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୫ଟି ଚୌକା ଓ ୧୨ଟି ବିରାଟ ଛକାମାରିଥିଲେ। ମାତ୍ର ୧୫ ବଲ୍ରେ ଅର୍ଦ୍ଧଶତକ ଓ ୩୬ ବଲ୍ରେ ଶତକ ପୂରଣ କରି ସେ ନିଜର କ୍ଷମତା ପ୍ରଦର୍ଶନ କରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୨୭୮.୩୭ ରହିଥିଲା।
ହାଇଦ୍ରାବାଦର ବ୍ୟାଟିଂ ଚାଲିଥିବା ସମୟରେ ତୃତୀୟ ଓଭରର ଶେଷ ବଲ୍ରେ ଏହି ଅଘଟଣ ଘଟିଥିଲା। ଜୋଫ୍ରା ଆର୍ଚ୍ଚରଙ୍କ ବଲ୍ରେ ଇଶାନ କିଷନ ଏକ ଜବରଦସ୍ତ ସଟ୍ ଖେଳିଥିଲେ। ସେହି ବଲ୍କୁ ଅଟକାଇବା ପାଇଁ ବୈଭବ ଦ୍ରୁତ ଗତିରେ ଦୌଡ଼ିବା ଆରମ୍ଭ କରିଥିଲେ, କିନ୍ତୁ ହଠାତ୍ ତାଙ୍କ ହ୍ୟାମଷ୍ଟ୍ରିଙ୍ଗ (Hamstring)ରେ ଟାଣି ହେବା ଭଳି ଅନୁଭବ ହୋଇଥିଲା। ଯନ୍ତ୍ରଣା ଏତେ ତୀବ୍ର ଥିଲା ଯେ ସେ ସଙ୍ଗେ ସଙ୍ଗେ ପଡ଼ିଆରେ ବସି ପଡ଼ିଥିଲେ।
ଘଟଣା ପରେ ତୁରନ୍ତ ଦଳର ଫିଜିଓ ପଡ଼ିଆକୁ ଆସି ତାଙ୍କର ଚିକିତ୍ସା କରିଥିଲେ। କିନ୍ତୁ ବୈଭବ ଚାଲିବା ସ୍ଥିତିରେ ନଥିବାରୁ ତାଙ୍କୁ ଅନ୍ୟମାନଙ୍କ ସାହାରା ନେଇ ଛୋଟେଇ ଛୋଟେଇ ପଡ଼ିଆ ବାହାରକୁ ଯିବାକୁ ପଡ଼ିଥିଲା। ଏହି ଖବର ରାଜସ୍ଥାନ ରୟାଲ୍ସ କ୍ୟାମ୍ପ ଏବଂ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି, କାରଣ ବୈଭବ ଏବେ ଶ୍ରେଷ୍ଠ ଫର୍ମରେ ଅଛନ୍ତି ଏବଂ ‘ଅରେଞ୍ଜ କ୍ୟାପ’ ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି।
ରାଜସ୍ଥାନ ରୟାଲ୍ସ ପାଇଁ ବୈଭବଙ୍କ ଆହତ ସମସ୍ୟା କେତେ ଗୁରୁତର, ତାହା ପରବର୍ତ୍ତୀ ମେଡିକାଲ ରିପୋର୍ଟ ପରେ ହିଁ ସ୍ପଷ୍ଟ ହେବ।