ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ ତୃତୀୟ T20I ମ୍ୟାଚରେ ନିରାଶାଜନକ ପ୍ରଦର୍ଶନ ପରେ ସଞ୍ଜୁଙ୍କ ସ୍ଥାନ ଏବେ ବିପଦରେ ଥିବା ଦେଖାଯାଉଛି। ଚତୁର୍ଥ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ବୈଭବ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନକୁ ଫେରିବା ନେଇ ସେ ସଙ୍କେତ ଦେଇଛନ୍ତି।
ବୈଭବ ସୂର୍ଯ୍ୟବଂଶୀ ଏସୀୟ କ୍ରୀଡ଼ା ୨୦୨୬ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନର ଅଂଶ ଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ତାଙ୍କୁ ଖେଳିବାର ସୁଯୋଗ ମିଳୁନାହିଁ। ଅନ୍ୟପଟେ ସଞ୍ଜୁ ସାମସନଙ୍କ ଗତ ୬ଟି ଇନିଂସ ମଧ୍ୟରୁ ୫ଟି ନିରାଶାଜନକ ରହିଛି। ଏହି କାରଣରୁ ତାଙ୍କ ସ୍ଥାନରେ ବୈଭବଙ୍କୁ ଖେଳିବାର ସୁଯୋଗ ମିଳିପାରେ ବୋଲି ଆକଳନ କରାଯାଉଛି। ତେବେ ଟିମ ମ୍ୟାନେଜମେଣ୍ଟ ସଞ୍ଜୁଙ୍କ ଉପରେ ଭରସା ରଖି ତାଙ୍କୁ କ୍ରମାଗତ ଭାବେ ସୁଯୋଗ ଦେଇଆସିଛି। ଏବେ ବୈଭବ ନିଜେ ସୋସିଆଲ ମିଡିଆ ଜରିଆରେ ପୁଣିଥରେ ମଇଦାନକୁ ଫେରିବାର ସଙ୍କେତ ଦେଇଛନ୍ତି। ବୈଭବ ଇନଷ୍ଟାଗ୍ରାମରେ କିଛି ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋଗୁଡ଼ିକରେ ସେ ହାଇଦ୍ରାବାଦରେ ହେବାକୁ ଥିବା ଚତୁର୍ଥ T20I ମ୍ୟାଚ ପୂର୍ବରୁ ଅଭ୍ୟାସ କରୁଥିବା ନଜର ଆସିଛନ୍ତି। ୧୫ ବର୍ଷୀୟ ଏହି ଷ୍ଟାର ବ୍ୟାଟରଙ୍କ ପୋଷ୍ଟର କ୍ୟାପ୍ସନ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ କ୍ୟାପ୍ସନରେ ‘Stay Seated’ (ବସି ରୁହନ୍ତୁ) ଲେଖିବା ସହ ତୋଫାନ ଏବଂ ବାଲିଘଡ଼ିର ଇମୋଜି ବ୍ୟବହାର କରିଛନ୍ତି।
ଏହି ପୋଷ୍ଟ ଜରିଆରେ ବୈଭବ ଇସାରା ଦେଇଛନ୍ତି ଯେ ଖୁବଶୀଘ୍ର ମଇଦାନରେ ତାଙ୍କ ବ୍ୟାଟିଂର ଝଡ଼ ଦେଖିବାକୁ ମିଳିପାରେ ଏବଂ ଫ୍ୟାନ୍ସଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ ସିରିଜ ସମୟରେ ବୈଭବ କୌଣସି ପୋଷ୍ଟ କରିନଥିଲେ। କିନ୍ତୁ ଚତୁର୍ଥ T20I ମ୍ୟାଚ ପୂର୍ବରୁ ତାଙ୍କର ଏହି ପୋଷ୍ଟ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଦେଇଛି। ଏହାକୁ ଦେଖି ସେ ପୁଣିଥରେ ମଇଦାନରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ଥିବା ଚର୍ଚ୍ଚା ହେଉଛି। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ T20I ମ୍ୟାଚ ଅକ୍ଟୋବର ୧୪ ତାରିଖରେ ହାଇଦ୍ରାବାଦରେ ଖେଳାଯିବ। ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମର ଦୁଇ ଦଳ ମଧ୍ୟରେ ମୁକାବିଲା ହେବ। ୫ ମ୍ୟାଚ ବିଶିଷ୍ଟ ଏହି T20I ସିରଜରେ ଟିମ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ଚତୁର୍ଥ ମ୍ୟାଚ ଜିତି ଭାରତ ସିରିଜ ଉପରେ କବଜା କରିବାକୁ ଚାହିଁବ। ଏହି ମ୍ୟାଚ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଟସ ପାଇଁ ଉଭୟ ଦଳର ଅଧିନାୟକ ସନ୍ଧ୍ୟା ୬ଟା ୩୦ରେ ପଡ଼ିଆକୁ ଆସିବେ।