ନୂଆଦିଲ୍ଲୀ,୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇଟି T20I ମ୍ୟାଚରେ ଖେଳିବାକୁ ସୁଯୋଗ ପାଇନଥିଲେ ବୈଭବ ସୂର୍ଯ୍ୟବଂଶୀ। ତେବେ ଚମତ୍କାର ଫର୍ମରେ ଥିବା ବୈଭବ ୨୦୨୬ରେ କ୍ରମାଗତ ଭାବେ ରନ ସଂଗ୍ରହ କରିଆସୁଛନ୍ତି। ଏବେ ସେ ଇଣ୍ଡିଆ-A ପକ୍ଷରୁ ରାଇଜିଂ ଷ୍ଟାର୍ସ ଏସିଆ କପରେ ଖେଳିବେ। ତେବେ ଏହା ପୂର୍ବରୁ ହିଁ କ୍ରିକେଟ ମଇଦାନକୁ ଫେରିବେ ବୈଭବ। ସୋସିଆଲ ମିଡିଆରେ ଷ୍ଟୋରି ପୋଷ୍ଟ କରି ନିଜର କମ୍ବ୍ୟାକକୁ ନେଇ ପ୍ରଶଂସକଙ୍କୁ ଏକ ବଡ଼ ସଙ୍କେତ ଦେଇଛନ୍ତି। ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଖେଳିପାରନ୍ତି।
ବୈଭବ ସୂର୍ଯ୍ୟବଂଶୀ ବିହାର ପକ୍ଷରୁ ଘରୋଇ କ୍ରିକେଟ ଖେଳନ୍ତି। ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬-୨୭ରେ ବିହାରର ପ୍ରଥମ ମ୍ୟାଚ ନଭେମ୍ବର ୧୪ରେ ଖେଳାଯିବ। ଇନ୍ଦୋରର ହୋଲକର ଷ୍ଟାଡିୟମରେ ବିହାର ଓ ସୌରାଷ୍ଟ୍ର ମଧ୍ୟରେ ଏହି ମୁକାବିଲା ହେବ। ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ଖେଳିପାରନ୍ତି।
ବୈଭବ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରି ପୋଷ୍ଟ କରିଛନ୍ତି। ସେଥିରେ ସେ ବିହାର କ୍ରିକେଟ ଆସୋସିଏସନର ଲୋଗୋ ଲଗାଇ ତା’ ଉପରେ ‘Soon’ ଲେଖିଛନ୍ତି। ଏହି ପୋଷ୍ଟ ଜରିଆରେ ସେ ଇଣ୍ଡିଆ-A ପକ୍ଷରୁ ଖେଳିବା ପୂର୍ବରୁ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବିହାରର ପ୍ରତିନିଧିତ୍ୱ କରିବାକୁ ଯାଉଥିବାର ସଙ୍କେତ ଦେଇଛନ୍ତି।
ରାଇଜିଂ ଷ୍ଟାର୍ସ ଏସିଆ କପରେ ଇଣ୍ଡିଆ-A ନଭେମ୍ବର ୨୦ରେ ନେପାଳ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। କାତାରର ଦୋହାରେ ଏହି ମ୍ୟାଚ ଖେଳାଯିବ। ଏହାପରେ ନଭେମ୍ବର ୨୨ରେ ପାକିସ୍ତାନ ଏବଂ ନଭେମ୍ବର ୨୪ରେ UAE ସହ ଇଣ୍ଡିଆ-Aର ମୁକାବିଲା ହେବ।
ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ବିହାର ପକ୍ଷରୁ ସମ୍ଭବତଃ ତିନୋଟି ମ୍ୟାଚ ଖେଳିପାରନ୍ତି। ନଭେମ୍ବର ୧୪ରେ ବିହାର ଓ ସୌରାଷ୍ଟ୍ର ମଧ୍ୟରେ ମ୍ୟାଚ ହେବ। ଏହାପରେ ନଭେମ୍ବର ୧୬ରେ ରେଲୱେ ଏବଂ ନଭେମ୍ବର ୧୮ରେ ଦିଲ୍ଲୀ ବିପକ୍ଷରେ ବିହାର ଖେଳିବ। ରାଇଜିଂ ଷ୍ଟାର୍ସ ଏସିଆ କପ ପୂର୍ବରୁ ବିହାରର ଏହି ତିନୋଟି ମ୍ୟାଚରେ ବୈଭବ ଖେଳୁଥିବା ଦେଖିବାକୁ ମିଳିପାରେ।