ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍ର ମାରାଥନ ପାରି ଖେଳିଛନ୍ତି। ତାଙ୍କ ଇନିଂସରେ ରହିଛି ୩୦ଟି ଚୌକା ଓ ୭ଟି ଛକା। ଇଶାନଙ୍କ ଏହି ବିଶାଳ ଇନିଂସ ବଳରେ ଇଷ୍ଟ ଜୋନ ପ୍ରଥମ ଇନିଂସରେ ୭୦୮ ରନ୍ର ବଡ଼ ସ୍କୋର କରିଛି।
ଇଶାନଙ୍କ ଏହି ପାରିକୁ ଦେଖି ପୂର୍ବତନ କ୍ରିକେଟରମାନେ ତାଙ୍କୁ ପ୍ରଶଂସା କରିବା ସହ ଏହାକୁ ଏକ ଶ୍ରେଷ୍ଠ ଇନିଂସ ବୋଲି କହିଛନ୍ତି। ଏହା ସହିତ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଈଶାନଙ୍କଠାରୁ ଶିଖିବାକୁ ପରାମର୍ଶ ଦିଆଯାଇଛି।
ଇଷ୍ଟ ଜୋନ୍ର ଇନିଂସ ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ୩୭ ବଲରେ ୪୪ ରନ କରିଥିଲେ। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ପାଇଁ ସେ ଚର୍ଚ୍ଚିତ। ତେବେ ଫାଇନାଲରେ ଇଶାନଙ୍କ ଦୀର୍ଘ ଇନିଂସକୁ ଉଦାହରଣ ଭାବେ ନେଇ ବୈଭବଙ୍କୁ ଲମ୍ବା ପାରି ଖେଳିବାକୁ ପରାମର୍ଶ ଦିଆଯାଇଛି।
ଭାରତର ପୂର୍ବତନ କ୍ରିକେଟର ବିବେକ ରାଜଦାନ କମେଣ୍ଟ୍ରି ସମୟରେ କହିଥିଲେ ଯେ, ବୈଭବଙ୍କୁ ଇଶାନ କିଶନଙ୍କ ଭଳି ଖେଳାଳିଙ୍କଠାରୁ ଶିଖିବା ଦରକାର। କ୍ରିଜରେ ଥରେ ସେଟ ହୋଇଗଲେ ଲମ୍ବା ଇନିଂସ ଖେଳିବା ଶିଖିବା ଆବଶ୍ୟକ ବୋଲି ସେ କହିଥିଲେ।
ରାଜଦାନ ଈଶାନଙ୍କ ୨୭୦ ରନର ପାରିକୁ ପ୍ରଶଂସା କରି କହିଥିଲେ ଯେ, ଏଭଳି ଇନିଂସ କେବଳ ବ୍ୟାଟିଂ ଟେକ୍ନିକ କିମ୍ବା ସ୍ବଭାବର ପରୀକ୍ଷା ନୁହେଁ, ଏହା ମ୍ୟାଚ ଫିଟନେସର ମଧ୍ୟ ପ୍ରମାଣ। ପ୍ରବଳ ଗରମ ମଧ୍ୟରେ ଦୀର୍ଘ ସମୟ କ୍ରିଜ୍ରେ ରହି ଏଭଳି ବଡ଼ ଇନିଂସ ଖେଳିବା ଈଶାନଙ୍କ ଫିଟନେସକୁ ଦର୍ଶାଉଛି ବୋଲି ସେ କହିଥିଲେ।
ବୈଭବ ସୂର୍ଯ୍ୟବଂଶୀ ଦୁଲୀପ ଟ୍ରଫି ସେମିଫାଇନାଲରେ ୯୨ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ ତାଙ୍କ ପରିଚୟ ପାଲଟିଛି। କିନ୍ତୁ ଯଦି ଆଗାମୀ ଦିନରେ ଟେଷ୍ଟ କ୍ରିକେଟରେ ସ୍ଥାନ ପାଇବାକୁ ହେବ, ତେବେ ଘରୋଇ କ୍ରିକେଟରେ ଏଭଳି ବଡ଼ ମ୍ୟାଚରେ ଲମ୍ବା ଇନିଂସ ଖେଳିବାର ଅଭ୍ୟାସ କରିବାକୁ ପଡ଼ିବ ବୋଲି ପୂର୍ବତନ କ୍ରିକେଟରମାନେ ମତ ଦେଇଛନ୍ତି।