ନୂଆଦିଲ୍ଲୀ , ୧୧।୯: ମ୍ୟାଚ ଜିତିବା ପରେ ପଡ଼ିଆରେ ହେଉଥିବା ସେଲିବ୍ରେଶନ ଯେତିକି ଖାସ, ତାଠାରୁ ଅଧିକ ସ୍ମରଣୀୟ ହୋଇଥାଏ ଡ୍ରେସିଂ ରୁମ୍ର ଖୁସିର ମୁହୂର୍ତ୍ତ। ଦୀର୍ଘ ୧୩ ବର୍ଷ ପରେ ଦୁଲୀପ ଟ୍ରଫି ଟାଇଟଲ ଜିତିବା ପରେ ଇଷ୍ଟ ଜୋନ ଟିମରେ ମଧ୍ୟ ଏଭଳି ଅନେକ ଭାବପୂର୍ଣ୍ଣ ମୁହୂର୍ତ୍ତ ଦେଖିବାକୁ ମିଳିଛି।
ଏହି ସେଲିବ୍ରେଶନରେ ସବୁଠାରୁ ଖାସ ମୁହୂର୍ତ୍ତ ଥିଲା ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ମହମ୍ମଦ ଶାମିଙ୍କୁ ଏକ ସ୍ବତନ୍ତ୍ର ଟି-ଶର୍ଟ ଉପହାର ଦେବା। ଏହି ଟି-ଶର୍ଟରେ ଇଷ୍ଟ ଜୋନର ଖେଳାଳିମାନଙ୍କ ସ୍ବାକ୍ଷର ରହିଛି। ଶାମିଙ୍କ ପାଇଁ ଏହା କେବଳ ଏକ ଟି-ଶର୍ଟ ନୁହେଁ, ବରଂ ଟିମ ସହ ବିତାଇଥିବା ଏହି ବିଶେଷ ଯାତ୍ରାର ଏକ ସ୍ମୃତି ହୋଇ ରହିବ।
ଭାଇରାଲ ହେଉଥିବା ଭିଡିଓରେ ବୈଭବ ସୂର୍ଯ୍ୟବଂଶୀ ଶାମିଙ୍କୁ ଏହି ସ୍ବାକ୍ଷର ଥିବା ଟି-ଶର୍ଟ ଦେଉଥିବା ଦେଖାଯାଉଛି। ଟିମର ସମସ୍ତ ଖେଳାଳିଙ୍କ ସ୍ବାକ୍ଷର ଥିବାରୁ ଏହି ଉପହାରଟି ଆହୁରି ଭାବପୂର୍ଣ୍ଣ ହୋଇଛି। ଇଷ୍ଟ ଜୋନର ବିଜୟ ଉତ୍ସବ ସମୟରେ ବୈଭବ ସୂର୍ଯ୍ୟବଂଶୀଙ୍କର ମଧ୍ୟ ବିଶେଷ ପ୍ରଶଂସା କରାଯାଇଥିଲା। ଜଣେ ଯୁବ ଖେଳାଳିଙ୍କ ପାଇଁ ଟିମରେ ସଦସ୍ୟମାନେ ଯେଉଁଭଳି ଭାବରେ କଥା କହିଥିଲେ, ତାହା ଟିମର ଏକତା ଓ ପରସ୍ପର ସମ୍ମାନକୁ ଦର୍ଶାଇଥିଲା।
ଦୀର୍ଘ ୧୩ ବର୍ଷର ଅପେକ୍ଷା ପରେ ଇଷ୍ଟ ଜୋନ ଦୁଲୀପ ଟ୍ରଫି ଟାଇଟଲ ନିଜ ନାମରେ କରିଛି। ଐତିହାସିକ ବିଜୟ ପରେ ଖେଳାଳିମାନେ ଏକାଠି ହୋଇ ବିଜୟ ଉତ୍ସବ ପାଳନ କରିଥିଲେ। ଏହି ସମୟରେ ଖେଳାଳିମାନେ ପରସ୍ପରଙ୍କ ମନୋବଳ ବଢ଼ାଇବା ସହ ଟିମର ସଫଳତାକୁ ନେଇ ନିଜ ନିଜ ଭାବନା ବ୍ୟକ୍ତ କରିଥିଲେ। ପୂରା ଭିଡିଓରେ ଖେଳାଳିମାନଙ୍କ ମଧ୍ୟରେ ଥିବା ଖୁସି, ଭାଇଚାରା ଓ ପରସ୍ପର ସମ୍ମାନ ସ୍ପଷ୍ଟ ଭାବେ ଦେଖାଯାଉଛି। ଶାମିଙ୍କୁ ବୈଭବ ଦେଇଥିବା ସ୍ବାକ୍ଷର ଥିବା ଟି-ଶର୍ଟ ହେଉ କିମ୍ବା ବିଜୟ ପରେ ଟିମରେ ବୈଭବଙ୍କ ପ୍ରଶଂସା ଏହି ସମସ୍ତ ମୁହୂର୍ତ୍ତ ଇଷ୍ଟ ଜୋନ୍ର ଐତିହାସିକ ବିଜୟକୁ ଆହୁରି ସ୍ମରଣୀୟ କରିଦେଇଛି। ଏହି ଭାବପୂର୍ଣ୍ଣ ମୁହୂର୍ତ୍ତର ଭିଡିଓ ଏବେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଖୁବ ପସନ୍ଦ କରାଯାଉଛି।