ନୂଆଦିଲ୍ଲୀ, ୨୮।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଭାରତୀୟ କ୍ରିକେଟ ଦଳ ସିରିଜରେ ଅପରାଜେୟ ଅଗ୍ରଣୀ ହାସଲ କରିଛି। ୱେଲିଂଟନ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ତୃତୀୟ ଟି-୨୦ ମ୍ୟାଚରେ ଭାରତକୁ ୧୯୯ ରନର ଟାର୍ଗେଟ ମିଳିଥିଲା। ହେଲେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଓପନିଂ ଯୋଡ଼ି ଏଭଳି ଧମାକାଦାର ଆରମ୍ଭ କରିଥିଲେ ଯେ ଭାରତ ମାତ୍ର ୧୩.୪ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା।
ଅଭିଷେକ ଶର୍ମାଙ୍କ ଚମତ୍କାର ୧୧୩ ରନ୍ର ଶତକୀୟ ଇନିଂସ ପାଇଁ ତାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ମିଳିଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ୪୫ ରନର ଦମଦାର ଇନିଂସ ଖେଳିଥିଲେ। ଏବେ ବିସିସିଆଇ ପକ୍ଷରୁ ଏହି ଦୁଇ ଧୁଆଁଧାର ଓପନର୍ଙ୍କର ଏକ ଭିଡିଓ ଜାରି କରାଯାଇଛି। ଏଥିରେ ଉଭୟଙ୍କ ମଧ୍ୟରେ ମଜାଦାର କଥାବାର୍ତ୍ତା ଦେଖିବାକୁ ମିଳିଛି।
ବିସିସିଆଇ ପକ୍ଷରୁ ଜାରି ଭିଡିଓରେ ଅଭିଷେକ ଶର୍ମାଙ୍କ ସହ କଥାବାର୍ତ୍ତା ବେଳେ ବୈଭବ ସୂର୍ଯ୍ୟବଂଶୀ ମଜାଳିଆ ଢଙ୍ଗରେ କହିଛନ୍ତି, ଯଦି ମ୍ୟାଚର ସିଧା ପ୍ରସାରଣ ହୋଇନଥାନ୍ତା, ତେବେ ଆମ ଗାଁର ଲୋକେ ସ୍କୋରକାର୍ଡ ଦେଖି ଭାବିଥାନ୍ତେ ଯେ ମ୍ୟାଚ କୌଣସି ଛାତ ଉପରେ ଖେଳାଯାଇଥିବ!
ଏହି ଆଲୋଚନାରେ ବୈଭବ ଦ୍ୱିତୀୟ ଟି-୨୦ ମ୍ୟାଚରେ ଶୀଘ୍ର ଆଉଟ ହେବା ବିଷୟରେ ମଧ୍ୟ କହିଥିଲେ। ସେ କହିଥିଲେ, ଗତ ମ୍ୟାଚେରେ ମୁଁ ମୋ ସ୍ବଭାବର ବିପରୀତ ଖେଳିଥିଲି। କିନ୍ତୁ ଏହି ମ୍ୟାଚରେ ମୁଁ ଦଳକୁ ଦ୍ରୁତ ଆରମ୍ଭ ଦେବାକୁ ଚାହୁଁଥିଲି, ଯାହାଦ୍ୱାରା ପରବର୍ତ୍ତୀ ବ୍ୟାଟର୍ଙ୍କ ପାଇଁ କାମ ସହଜ ହୋଇଯିବ। ଏହି ଆଲୋଚନାରେ ଅଭିଷେକ ଶର୍ମା ବୈଭବଙ୍କ ବିଷୟରେ ଏକ ରୋଚକ କଥା ମଧ୍ୟ କହିଥିଲେ। ଅଭିଷେକଙ୍କ କହିବା ଅନୁଯାୟୀ, ବୈଭବ ବ୍ୟାଟିଂକୁ ନେଇ ଏତେ ଉତ୍ସାହୀ ଯେ ତାଙ୍କୁ ନେଟ୍ସରୁ ବାହାର କରିବା ପ୍ରାୟ ଅସମ୍ଭବ।
ଅଭିଷେକ କହିଥିଲେ, ଯଦି ଆମ ପାଖରେ ଦୁଇଟି ନେଟ୍ସ ଥାଏ, ତେବେ ଆମେ ଗୋଟିଏ ନେଟ ବୈଭବଙ୍କୁ ଦେଇଦେଉ ଏବଂ ତାଙ୍କୁ କହୁ, ତୁମେ ଖେଳ। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବୈଭବଙ୍କ ବ୍ୟାଟିଂକୁ ନେଇ ମଧ୍ୟ ଅଭିଷେକ ଆଲୋଚନା କରିଥିଲେ। ସେ କହିଥିଲେ, ବୈଭବ ପ୍ରଥମ ବଲରେ ହିଁ ଆକ୍ରମଣାତ୍ମକ ଶଟ ଖେଳିଥିଲେ। ଅନ୍ୟ ପଟେ ଠିଆ ହୋଇ ସେ ଏହାକୁ ଦେଖିଥିଲେ। ତାଙ୍କ ମତରେ, ପ୍ରଥମ ବଲରେ ଏଭଳି ଶଟ ଖେଳିବା ଜଣେ ବ୍ୟାଟର୍ଙ୍କ ଆତ୍ମବିଶ୍ୱାସକୁ ଦର୍ଶାଏ। ବୈଭବ ଯେଉଁଭଳି ନିର୍ଭୀକ ଢଙ୍ଗରେ ବ୍ୟାଟିଂ କରିଥିଲେ, ତାହା ପ୍ରଶଂସାଯୋଗ୍ୟ ବୋଲି ଅଭିଷେକ କହିଥିଲେ।