‘୩୦ ସୁଦ୍ଧା ଆସିପାରେ ଟିକା’

ଭୁବନେଶ୍ୱର, ୫।୧(ବ୍ୟୁରୋ): ଚଳିତ ମାସରେ ଓଡ଼ିଶାକୁ କରୋନା ଟିକା ଆସିଯାଇପାରେ। ଏନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାନୁୟାରୀ ୩୦ ସୁଦ୍ଧା ଟିକା ଆସିଯିବ ବୋଲି ବିଶ୍ୱାସ କରାଯାଉଛି। ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ତା’ପରେ ବୟସ୍କଙ୍କୁ ଦେବା ପାଇଁ ଆଲୋଚନା ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଆସିଲେ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସେପଟେ ଭାରତରେ ଦୁଇଟି ଟିକାକୁ ଡିସିଜିଆଇ ଅନୁମୋଦନ ଦେବାପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟକୁ ଟିକା ଦେବା ପରେ ତତ୍‌କ୍ଷଣାତ୍‌ ଟିକାକରଣ କରାଯିବ। ପ୍ରାଥମିକ ସ୍ତରରେ ପ୍ରସ୍ତୁତ ହୋଇଥିବା ଡାଟାବେସ୍‌ ଅନୁସାରେ ପ୍ରଥମେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ପାଖରେ ଦାବି କରାଯାଇଛି। ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କ ଡାଟାବେସ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ୩ ଲକ୍ଷ ୨୭ ହଜାର ସ୍ବାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଆହୁରି ଅଧିକ ସ୍ବାସ୍ଥ୍ୟ କର୍ମୀଙ୍କୁ ସାମିଲ କରାଯିବ।
ଅପରପକ୍ଷରେ ନୂଆବର୍ଷ ଆଣିଦେଇଛି ଖୁସି ଖବର। ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇଶହ ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୬ଜଣ କ୍ୱାରଣ୍ଟାଇନ ସେଣ୍ଟରରୁ ଥିବାବେଳେ ୭୭ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୩,୩୦,୪୯୨ରେ ପହଞ୍ଚତ୍ଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ କମିଯାଇଛି। ଗତ ୨୪ଘଣ୍ଟାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ରହିଛନ୍ତି। ଏବେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୮୫କୁ ଛୁଇଁଛି।