ଭ୍ୟାରିଆଣ୍ଟ୍‌ର ଭୟଙ୍କର ବେଗ ଯୋଗୁ ଭାକ୍ସିନ୍‌ ହୋଇପାରେ ପ୍ରଭାବହୀନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଚେତାବନୀ ଦେଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ଭାରତରେ କରୋନାର ପରିବର୍ତ୍ତିତ ଭ୍ୟାରିଆଣ୍ଟ୍‌ ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଏଭଳି ଧାରା ଜାରି ରହିଲେ ଆଗାମୀ ଦିନରେ ଭାକ୍ସିନ୍‌ ମଧ୍ୟ ଏହା ସମ୍ମୁଖରେ ପ୍ରଭାବହୀନ ହେବାର ଆଶଙ୍କା ଦେଖାଦେଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ ଏଭଳି ସତର୍କ ସୂଚନା ଜାରି କରିଛନ୍ତି। ଭ୍ୟାରିଆଣ୍ଟ୍‌ରେ ମ୍ୟୁଟେଶନ ହେଉଥିବାରୁ ଏହା ଶୀଘ୍ର ବ୍ୟାପୁଥିବା ସୌମ୍ୟା କହିଛନ୍ତି। ଫଳରେ ଏହା ଭାକ୍ସିନ୍‌ ନେବା ଯୋଗୁ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡ଼ିକୁ ମଧ୍ୟ ପ୍ରଭାବହୀନ କରାଇଦେବାର ଆଶଙ୍କା ସୃଷ୍ଟି ହୋଇଛି। ଭାରତର ୧୩୦ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ୨ ପ୍ରତିଶତଙ୍କୁ ଟିକାଦାନ କରାଯାଇଛି। ତେଣୁ କେବଳ ଟିକା ଦ୍ୱାରା କରୋନା ଲଢ଼େଇ ଲଢ଼ି ହେବନି। ସଂକ୍ରମଣ ଯେଭଳି ଅଧିକ ନ ବ୍ୟାପିବ ସେଥିପ୍ରତି କଡ଼ା ପଦକ୍ଷେପ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Share