କୋରାପୁଟରେ ପହଞ୍ଚିଲା କରୋନା ଟିକା

କୋରାପୁଟ,୧୪।୧(ସ୍ବ.ପ୍ର.): କୋରାପୁଟରେ ଗୁରବାର ପହଞ୍ଚିଛି ୮୩୦୦ ଡୋଜ୍‌ କୋଭିଡ ସିଲ୍‌ଡ ଟିକା। ଏହାକୁ କୋରାପୁଟ ଆଞ୍ଚଳିକ ଟିକା କେନ୍ଦ୍ରଠାରେ ରଖାଯାଇଛି। ଏହି ଟିକା କୋରାପୁଟରେ ପହଞ୍ଚିବା ପରେ ଜିଲାପାଳ ମଧୁସୂଦନ ମିଶ୍ର ଆଞ୍ଚଳିକ ଟିକା କେନ୍ଦ୍ରରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ଏହା କିପରି ସଠିକ୍‌ ଭାବେ ଜିଲାର ୫ଟି କେନ୍ଦ୍ରକୁ ପଠାଯିବ ସେ ନେଇ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ ତାରିଖରୁ ଜିଲାରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ଓ ଆଇସିଡିଏସ କର୍ମୀମାନଙ୍କୁ ଏହି ଟିକା ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଜିଲାର ୫ଟି ଟିକାକରଣ କେନ୍ଦ୍ର ଯଥା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲା ମୁଖ୍ୟ ଚିକିତ୍ସାଳୟ ଜୟପୁର, କୋରାପୁଟ ଗାନ୍ଧୀନଗରସ୍ଥିତ ଅର୍ବାନ ସ୍ବାସ୍ଥ୍ୟକେନ୍ଦ୍ର, ମାଥାଲପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଓ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବା ବ୍ୟବସ୍ଥା କରାଯିବ ବୋଲି ସିଡିଏମଓ ଡାକ୍ତର ମକରନ୍ଦ ବେଉରା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ କୋଭିଡ୍‌ ଟିକା ଜିଲାର ଉପରୋକ୍ତ ୫ଟି କେନ୍ଦ୍ରରେ ଦୈନିକ ପ୍ରତି କେନ୍ଦ୍ରରେ ୧୦୦ ଜଣଙ୍କୁ ପ୍ରଦାନ କରାଯିବ। ଜିଲାର ବୟସ୍କ ଲୋକମାନେ ଏପରିକି ମୋଟ୍‌ ୧୨ ହଜାର ୭୬ ଜଣଙ୍କୁ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରହିଛି।