ଭାକ୍ସିନ୍‌ ନେଲେ ୨ ବର୍ଷ ମଧ୍ୟରେ ହେବ ମୃତ୍ୟୁ: ଭାଇରାଲ ଟୁଇଟ୍‌ ସତ କି ମିଛ, ପିଆଇବି ଦେଲା ସୂଚନା…

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ସୁରକ୍ଷା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଗତ ଦୁଇ ଦିନ ଧରି ଭାକ୍ସିନ୍‌ ସମ୍ପର୍କରେ ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର ହେବାରେ ଲାଗିଛି। ଭାକ୍ସିନ୍‌ ନେବାର ୨ ବର୍ଷ ପରେ ମୃତ୍ୟୁ ହେବ ବୋଲି ସୋସିଆଲ୍‌ ମିଡ଼ିଆରେ ଏକ ଟୁଇଟ୍‌ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟ୍‌ ମିଥ୍ୟା ବୋଲି ଜଣାପଡ଼ିଛି। ଫ୍ରାନ୍ସର ନୋବେଲ ପୁରସ୍କାର ବିଜେତା ଭିରୋଲୋଜିଷ୍ଟ୍‌ ଲୁସ୍‌ ମୋଣ୍ଟେଜନିୟର ଟୁଇଟ୍‌ କରି ଏଭଳି କହିଥିବା ପ୍ରଚାର ହେଉଛି। ତେବେ ଏହି ଟୁଇଟର୍‌ ହ୍ୟାଣ୍ଡେଲଟି ଫେକ୍‌।

ଏଥିରେ ଭିରୋଲୋଜିଷ୍ଟ୍‌ ଲୁସ୍‌ ମୋଣ୍ଟେଜନିୟରଙ୍କ ଫଟୋ ଲଗାଇ ଲୋକଙ୍କୁ ଭ୍ରମିତ କରିବା ଲାଗି ଏଭଳି କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଏଭଳି ମେସେଜ୍‌ ଅବା ଟୁଇଟ୍‌କୁ ଶେୟାର ନ କରିବାକୁ ସରକାରଙ୍କ ପକ୍ଷରୁ ୟୁଜରଙ୍କୁ ପରାମର୍ଶ ଦିଆଯାଇଛି। ଏହି ମିଥ୍ୟା ଟୁଇଟ୍‌ ବିରୋଧରେ ଏକଜୁଟ ହେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି। ପ୍ରେସ୍‌ ଇନଫରମେଶନ ବ୍ୟୁରୋ(ପିଆଇବି) ପକ୍ଷରୁ ହୋଇଥିବା ତଦନ୍ତରୁ ଟୁଇଟ୍‌ଟି ମିଥ୍ୟା ବୋଲି ଜଣାପଡ଼ିଛି। ପିଆଇବି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ, ଦେଶରେ ଦିଆଯାଉଥିବା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ। ଏହାଦ୍ୱାରା ବିପଦର କୌଣସି ଆଶଙ୍କା ନାହିଁ।

Share