ତାରକା ହୋଟେଲରେ ଭାକ୍ସିନେଶନ ପ୍ୟାକେଜ୍‌: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ କେତେକ ଘରୋଇ ହସ୍ପିଟାଲ ପକ୍ଷରୁ ନାମିଦାମୀ ତାରକା ହୋଟେଲରେ ଭାକ୍ସିନେଶନ ପ୍ୟାକେଜ୍‌ ଉପଲବ୍ଧ କରାଯାଉଛି। ଏଭଳି ପ୍ୟାକେଜ୍‌କୁ ବନ୍ଦ କରିବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ନିିର୍ଦ୍ଦୋ ଦିଆଯାଇଛି। ଏହା ସହିତ ଏସବୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୁହାଯାଇଛି। କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ କରାଯାଇ ପ୍ରଦାନ କରାଯାଉଥିବା ଏଭଳି ଲୋଭନୀୟ ପ୍ୟାକେଜ୍‌ କ୍ଷେତ୍ରରେ ସମ୍ପୃକ୍ତ ହୋଟେଲ ପ୍ରବନ୍ଧକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସରକାର କହିଛନ୍ତି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ଡ.ମନୋହର ଅଗନାନୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ଦେଶରେ ସାର୍ବଜନୀକ ଟିକାରଣ ଲାଗି ୪ ପ୍ରକାର ବିକଳ୍ପ ସମ୍ପର୍କରେ ଅଗନାନୀ ସୂଚିତ କରିଛନ୍ତି। ପ୍ରଥମରେ ସରକାରୀ କରୋନା ଟିକାକରଣ କେନ୍ଦ୍ର, ଦ୍ୱିତୀୟରେ ଘରୋଇ ହସ୍ପିଟାଲରେ ଥିବା ଟିକାକରଣ କେନ୍ଦ୍ର,ତୃତୀୟରେ ସରକାରୀ କାର୍ଯ୍ୟାଳୟରେ ଟିକାକରଣ କେନ୍ଦ୍ର ଦ୍ୱାରା ପରିଚାଳିତ ହେଉଥିବା ଟିକାଦାନ ଏବଂ ଘରୋଇ କମ୍ପାନୀର ନିଜସ୍ବ ହସ୍ପିଟାଲରେ ଟିକାକରଣ କରାଯାଇ ପାରିବ। ସେହିପରି ଚତୁର୍ଥରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଘର ପାଖରେ ଥିବା ଟିକାକରଣ କେନ୍ଦ୍ର, ଆର୍‌ଡବ୍ଲ୍ୟୁଏ କାର୍ଯ୍ୟାଳୟ, ହାଉସିଂ ସୋସାଇଟି, କମ୍ୟୁନିଟି ସେଣ୍ଟର, ପଞ୍ଚାୟତ ଭବନ, ସ୍କୁଲ୍‌-କଲେଜ୍‌ , ଓଲ୍ଡ ଏଜ୍‌ ହୋମ୍‌ ଆଦିଠାରେ ସାର୍ବଜନୀକ ଟିକାକରଣ ହୋଇପାରିବ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।

Share