ବୁଧବାରଠୁ ଆରମ୍ଭ ହେବ ୧୨-୧୪ ବର୍ଷ ବୟସ୍କଙ୍କ ଟିକାକରଣ

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ରାଜ୍ୟରେ ୨୦୧୫ ମାର୍ଚ୍ଚ ୧୦ ପୂର୍ବରୁ ଜନ୍ମ ହୋଇଥିବା ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ ବୁଧବାରଠୁ ଆରମ୍ଭ ହେବ । ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟୀକା ଦିଆଯାଉଥିଲା । ଏବେ ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେ କହିଛନ୍ତି, ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ସ୍କୁଲଗୁଡ଼ିକରେ ଟିକା ଦିଆଯିବ । ଏଥିପାଇଁ ଶିକ୍ଷକମାନେ ସହଯୋଗ କରିବେ । ଏନେଇ ସ୍କୁଲ ସମୟ ଅନୁସାରେ ଟିକାକରଣ କରିବାକୁ ସିଡିଏମଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ବିଭାଗ, ଏସ୍‌ସି-ଏସ୍‌ଟି ବିଭାଗ ସହ ସମନ୍ବୟ ରଖି ଟିକାକରଣ କରାଯିବ। ତେବେ ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯିବ।