ଟିକାକରଣ ଯୋଗୁ ଦେଶରେ ସୃଷ୍ଟି ହୋଇଛନ୍ତି ୨ ଭିନ୍ନ ଭିନ୍ନ ବର୍ଗ, କହିଲେ ହାଇକୋର୍ଟ…

କୋଚି,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ମହାମାରୀ ବିରୋଧରେ ଲଢ଼େଇ ଅନ୍ତର୍ଗତ ଟିକାକରଣ ଅଭିଯାନ ଦେଶବ୍ୟାପୀ ଜାରି ରହିଛ। ଏପରିସ୍ଥଳେ କେରଳ ହାଇକୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଟିକାକରଣ ଯୋଜନା ଦେଶରେ ନାଗରିକଙ୍କ ଦୁଇଟି ଭିନ୍ନ ଭିନ୍ନ ବର୍ଗ ସୃଷ୍ଟି କରିଛି।

ଗୋଟିଏ ବର୍ଗ, ଯେଉଁମାନେ କୋଭାକ୍ସିନ ନେଇଛନ୍ତି ଏବଂ କୋଭିଶିଲ୍ଡ ନେଇଥିବା ବର୍ଗ। କୋଭାକ୍ସିନ ନେଇଥିବା ବର୍ଗଙ୍କ ଗତିବିଧି ସୀମିତ ରହିଛି। ଅପରପକ୍ଷରେ କୋଭାଶିଲ୍ଡ ନେଇଥିବା ବର୍ଗ ଯେ କୌଣସି ସ୍ଥାନକୁ ବା ବିଦେଶକୁ ସହଜରେ ଯାଇପାରୁଛନ୍ତି।

ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତିପ୍ରାପ୍ତ ଟିକା ପାଇବା ପାଇଁ ତୃତୀୟ ଡୋଜ୍‌ ନେବା ଲାଗି ଜଣେ ବ୍ୟକ୍ତିଙ୍କ ଆବେଦନର ଣୁଣାଣି କରି ବିଚାରପତି ପି.ଭି କୁହ୍ନିକୃଷ୍ଣନଙ୍କ ନେତତ୍ୱରେ ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି।
ସୌଦି ଆରବରେ ୱେଲଡର ଭାବରେ କାର୍ଯ୍ୟ କରୁଥିବା ଆବେଦନକାରୀ ତୃତୀୟ ଥର ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। କାରଣ ସେ ନେଇଥିବା କୋଭାକ୍ସିନର ଦୁଇଟି ଡୋଜ ଗଲ୍ଫ ଦେଶରେ ସ୍ବୀକୃତିପ୍ରାପ୍ତ ନୁହେଁ। ଏହି କାରଣରୁ ସେ ଚାକିରୀ ହରାଇବାର ଆଶଙ୍କା ରହିଛି। ସେ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତିପ୍ରାପ୍ତ ଟିକା ନ ନେଲେ ସେଠାକୁ ଯାଇପାରିବେ ନାହିଁ।

ଖଣ୍ଡପୀଠ କହିଛନ୍ତି ଯେ ଆବେଦନକାରୀଙ୍କୁ ତୃତୀୟ ଡୋଜ ଦିଆଯିବା ଉଚିତ କି ନୁହେଁ ତାହାର ନିର୍ଦ୍ଦେଶ କୋର୍ଟ ଦେବେ ନାହିଁ। କିନ୍ତୁ କେନ୍ଦ୍ର ସରକାରଙ୍କୁ ଏକ ମାସ ମଧ୍ୟରେ ଏହାର ସମାଧାନ କରିବାକୁ ପଡିବ। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ଆଇନଜୀବୀ କୋର୍ଟଙ୍କୁ କହିଛନ୍ତି ଯେ ସୁପ୍ରିମକୋର୍ଟରେ ଏଭଳି ଏକ ମାମଲା ବିଚାରାଧୀନ ଅଛି, ଯାହା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼ିବ।

କୋର୍ଟ କହିଛନ୍ତି ଯେ ଯଦି ଏହି ନିଷ୍ପତ୍ତି ନେବାରେ କେନ୍ଦ୍ର ଅଧିକ ସମୟ ନେବାକୁ ଚାହୁଁଛି, ତେବେ ବିଦେଶରେ କାମ କଲେ ମିଳୁଥିବା ଦରମା ହିସାବରେ ଆବେଦନକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲାଗି ଏକ ନିର୍ଦ୍ଦେଶ ଦିଆଯାଇପାରିବ। ବିଚାରପତି କହିଛନ୍ତି ଯେ କୋର୍ଟ କେବଳ ଦର୍ଶକଙ୍କ ପରି ଚୁପଚାପ ବସିପାରିବେ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ନଭେମ୍ବର ୫ ସ୍ଥିର କରିଛନ୍ତି।

Share