ଟିକା ନେଲେ ଉପହାର ମିଳିବ ମୋବାଇଲ-ଟିଭି…

ଇମ୍ଫାଲ୍‌,୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ସାର୍ବଜନୀକ ଟିକାକରଣ ଅଭିଯାନରେ ଲୋକଙ୍କୁ ଟିକାଦାନ କରାଯାଉଛି। ତେବେ ମଣିପୁରରେ ଟିକା ନେଲେ ମୋବାଇଲ୍‌ ଏବଂ ଟିଭି ଉପହାରରେ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ମଣିପୁରର ଇମ୍ଫାଲର ପଶ୍ଚିମ ଜିଲାରେ ଏକ ମେଗା ଟିକାକରଣ ଶିବିର ଆୟୋଜନ କରାଯିବ। ଏହି ଶିବିରରେ ଯେଉଁମାନେ କରୋନା ଟିକା ନେବେ, ସେମାନେ ଟେଲିଭିଜନ ସେଟ, ମୋବାଇଲ ଫୋନ କିମ୍ବା କମ୍ବଳ ଜିଣିବାର ସୁଯୋଗ ପାଇବେ। ଜିଲା ପ୍ରଶାସନ ଟିକାକରଣ କଭରେଜ ବୃଦ୍ଧି କରିବାକୁ ଚାହୁଁଛି। ଏଭଳି ପରିସ୍ଥିତିରେ ପ୍ରଶାସନ ଏକ ମେଗା ଟିକାକରଣ କମ ବମ୍ପର ଡ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।  ଅକ୍ଟୋବର ୨୪, ଅକ୍ଟୋବର ୩୧ ଏବଂ ନଭେମ୍ବର ୭ରେ ଜିଲାର ତିନୋଟି କେନ୍ଦ୍ରରେ ତିନି ଦିନ ପାଇଁ ଟିକାକରଣ ଆୟୋଜନ କରାଯିବ। ଏ ସମ୍ପର୍କରେ ଇମ୍ଫାଲ ପଶ୍ଚିମ ଜିଲା ଡେପୁଟି କମିଶନର ଟି.ଏଚ୍‌. କିରଣକୁମାର ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ଏଥିରେ ଉଲ୍ଲେଖ କରାଯାଇଛି ଯେ ଯେଉଁମାନେ ତିନୋଟି କେନ୍ଦ୍ରରେ ଟିକା ନେବେ ସେମାନେ ବମ୍ପର ଡ୍ରରେ ଅଂଶଗ୍ରହଣ କରି ପୁରସ୍କାର ଜିଣିବାର ସୁଯୋଗ ପାଇବେ।
୧୮ ବର୍ଷରୁ ଅଧିକ ବର୍ଷ ବୟସ୍କ ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରିପାରିବେ। ପ୍ରଥମ ପୁରସ୍କାର ହେଉଛି ଏକ ବଡ଼ ପରଦା ଟେଲିଭିଜନ ସେଟ, ଦ୍ୱିତୀୟଟି ମୋବାଇଲ ଫୋନ ଏବଂ ତୃତୀୟଟି କମ୍ବଳ। ଏହା ସହିତ ଅନ୍ୟ ୧୦ଟି ସାନ୍ତ୍ୱନାମୂଳକ ପୁରସ୍କାର ମଧ୍ୟ ରହିଛି ବୋଲି ବିଜ୍ଞପ୍ତିରେ ପ୍ରକାଶିତ ହୋଇଛି।
ଇମ୍ଫାଲ ପଶ୍ଚିମ ଜିଲାର ଜିଏମ ହଲ, ପୋଲୋ ଗ୍ରାଉଣ୍ଡ ଏବଂ ଧରମଶାଲାରେ ଅବସ୍ଥିତ ତିନୋଟି କେନ୍ଦ୍ରରେ ଏହା କରାଯିବ।

Share