Categories: ଜାତୀୟ

‘ତ୍ୱରିତ ନ୍ୟାୟ ଲାଗି ଖାଲି ପଦବୀ ପୂରଣ ଜରୁରୀ’

ନୂଆଦିଲ୍ଲୀ,୧୬।୪: ନ୍ୟାୟ ପ୍ରଦାନରେ ଉନ୍ନତି ଆଣିବାକୁ ହେଲେ ବିଚାର ବିଭାଗରେ ରହିଥିବା ଖାଲିସ୍ଥାନ ପୂରଣ ହେବା ଜରୁରୀ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା କହିଛନ୍ତି। ନ୍ୟାୟପାଳିକାର ସବୁ ସ୍ତରରେ ରହିଥିବା ଖାଲିସ୍ଥାନ ପୂରଣ ଦିଗରେ ସେ ଉଦ୍ୟମ ଜାରି ରଖିଛନ୍ତି। ସବୁ ଷ୍ଟେକ୍‌ହୋଲ୍ଡରଙ୍କ ସହଯୋଗ ମିଳିଲେ ଏ ଦିଗରେ ଆମେ ଉଲ୍ଲେଖନୀୟ ଅଗ୍ରଗତି କରିପାରିବା ବୋଲି ହାଇଦ୍ରାବାଦରେ ନ୍ୟାୟିକ ଅଧିକାରୀମାନଙ୍କ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ସିଜେଆଇ କହିଛନ୍ତି। ଯେକୌଣସି ସେବା ଯୋଗାଉଥିବା ସଂଗଠନର ପ୍ରଦର୍ଶନ ଏହାର ପ୍ରଭାବୀ ଲକ୍ଷ୍ୟ ହାସଲ ଉପରେ ନିର୍ଭର କରେ। ଠିକ୍‌ ସମୟରେ ନ୍ୟାୟ ପ୍ରଦାନ ନ୍ୟାୟିକ ବ୍ୟବସ୍ଥାର ଲକ୍ଷ୍ୟ। ଭାରତୀୟ ବିଚାର ବ୍ୟବସ୍ଥା ବିଶେଷ କରି ତଳ କୋର୍ଟ ଗୁଡ଼ିକରେ ମୁଖ୍ୟ ସମସ୍ୟା ହେଉଛି ମାମଲା ଦୀର୍ଘଦିନ ପଡ଼ିରହିବା। ଭିତ୍ତିଭୂମିର ଅଭାବ ଏବଂ ବହୁ ସଂଖ୍ୟାରେ ନ୍ୟାୟିକ ଅଧିକାରୀ ପଦବୀ ଖାଲି ପଡ଼ିଥିବାରୁ କୋର୍ଟ କାର୍ଯ୍ୟ ଗୁରୁତର ପ୍ରଭାବିତ ହେଉଛି। ଖାଲି ପଦବୀ ପୂରଣକୁ ସର୍ବାଧିକ ପ୍ରାଥମିକତା ଦେଇ ଏହାର ସମାଧାନ ପାଇଁ ସେ ଉଦ୍ୟମ ଚଳାଇଥିବା ସିଜେଆଇ କହିଛନ୍ତି।

Share