ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ କବିତାକୁ ହିନ୍ଦୀ ଓ ଉଜବେକ୍ ଭାଷାରେ ପାଠ କରିବା ସହ ଗାନ କରିଥିଲେ। ଛାତ୍ରୀଛାତ୍ରଙ୍କ ମୁହଁରୁ ନିଜ କବିତା ଶୁଣି ପ୍ରଧାନମନ୍ତ୍ରୀ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହାର ଏକ ଭିଡିଓ ମଧ୍ୟ ଜାରି କରାଯାଇଛି। ଭିଡିଓରେ ଉଜବେକ୍ ଛାତ୍ରୀଛାତ୍ରମାନେ ମୋଦିଙ୍କ କବିତା ପାଠ କରୁଥିବା ଦେଖାଯାଇଛି।

ଛାତ୍ରୀଛାତ୍ରମାନେ ମୋଦିଙ୍କ ଏକ କବିତା ପାଠ କରିଥିଲେ, ଯେଉଁଥିରେ ମାନବତା, ସାହସ ଓ ଜାଗରଣର ବାର୍ତ୍ତା ରହିଛି । ଏହା ପରେ ଅନ୍ୟ ଜଣେ ଛାତ୍ର ମଧ୍ୟ ଭାରତକୁ ନେଇ ମୋଦିଙ୍କ ଆଉ ଏକ କବିତା ପାଠ କରିଥିଲେ। କବିତାରେ ଭାରତର ଶତାବ୍ଦୀର ସଂଘର୍ଷ, ଶୂନରୁ ସମ୍ଭାବନା ସୃଷ୍ଟି ଏବଂ ଆତ୍ମନିର୍ଭର ଭାରତର ଯାତ୍ରା ବିଷୟରେ ବାର୍ତ୍ତା ରହିଥିଲା। ଭାରତ ନିଜ ସଂକଳ୍ପ, ସମ୍ବଳ ଓ ସାମର୍ଥ୍ୟ ନିଜ ହାତରେ ରଖି ନିଜ ଭାଗ୍ୟ ନିଜେ ଗଢ଼ିବା ଦିଗରେ ଆଗକୁ ବଢ଼ୁଛି ବୋଲି କବିତାରେ କୁହାଯାଇଥିଲା।

ଛାତ୍ରୀଛାତ୍ରଙ୍କ କବିତା ପାଠ ପରେ ପ୍ରଧାନମନ୍ତ୍ରୀ ମୋଦି ତାଳି ବଜାଇ ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି ମୁହୂର୍ତ୍ତ ତାଙ୍କ ପାଇଁ ଭାବପ୍ରବଣ ଥିଲା ବୋଲି ସେ କହିଥିଲେ। କିଛି ବର୍ଷ ପୂର୍ବେ ସେ ଲେଖିଥିବା କବିତାକୁ ଆଜି ଏହି ଯୁବତୀଯୁବକଙ୍କ ମୁହଁରୁ ଶୁଣିବାର ସୁଯୋଗ ମିଳିବା ତାଙ୍କ ପାଇଁ ଭାବବିହ୍ୱଳ କରିଦେବା ଭଳି ଅନୁଭୂତି ଥିଲା। ବିଶେଷ କଥା ହେଉଛି, ହିନ୍ଦୀ ସେମାନଙ୍କ ମାତୃଭାଷା ନହୋଇଥିଲେ ମଧ୍ୟ ସେମାନେ ଭାବକୁ ସଠିକ୍ ଭାବେ ପ୍ରକାଶ କରିଥିଲେ ବୋଲି ମୋଦି ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ତାମିଲ ସାହିତ୍ୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାଚୀନ ତାମିଲ କାବ୍ୟ ‘ତିରୁକ୍କୁରଲ’ ବିଷୟରେ ଉଲ୍ଲେଖ କରିଥିଲେ।

ସେ କହିଥିଲେ ଯେ, ଶତାଧିକ ବର୍ଷ ପୂର୍ବେ ତାମିଲ ଭାଷାରେ ରଚିତ ‘ତିରୁକ୍କୁରଲ’ ଆଜି ମଧ୍ୟ ଜୀବନର ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ପ୍ରେରଣା ଦେଇଆସୁଛି। ଉଜବେକ୍ ଛାତ୍ରୀଛାତ୍ରଙ୍କ ଦ୍ୱାରା ଭାରତୀୟ ଭାଷା ଓ ସାହିତ୍ୟ ପ୍ରତି ଦେଖାଯାଇଥିବା ଆଗ୍ରହକୁ ମୋଦି ପ୍ରଶଂସା କରିଥିଲେ। ଏହି ଘଟଣା ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଭାଷା, ସାହିତ୍ୟ ଓ ସାଂସ୍କୃତିକ ସମ୍ପର୍କର ଏକ ସୁନ୍ଦର ଉଦାହରଣ ପାଲଟିଛି।

 

Dharitri – Odisha’s No.1 Odia Daily

Share