Categories: ଜାତୀୟ

ଆକ୍ସନ ମୁଡ୍‌ରେ ଧାମି: ରାଜ୍ୟରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ୍‌

ଡେରାଡୁନ,୨୪।୩: ଉତ୍ତରାଖଣ୍ଡରେ ପୁଷ୍କର ସିଂହ ଧାମି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଆକ୍ସନ ମୁଡରେ ଆସିଯାଇଛନ୍ତି। ସରକାର ଗଠନ ପରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଅନେକ ଲୋକାଭିମୁଖୀ କାର୍ଯ୍ୟକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଇତିମଧ୍ୟରେ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ଲାଗୁ କରିବାକୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମନ୍ତ୍ରୀମଣ୍ଡଳର ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଗୁରୁବାର ଏନେଇ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ସରକାର ଗଠନ ହେଲେ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ଲାଗୁ କରାଯିବ ବୋଲି ନିର୍ବାଚନ ପୂର୍ବରୁ ଭାଜପା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ସରକାର ଗଠନ ହେବା ପରେ ଧାମି ନିଜ ପ୍ରତିଶୃତି ପୂରଣ କରିଛନ୍ତି। ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ଏହି କମିଟି ୟୁସିସି ଆଇନରେ ଏକ ଡ୍ରାଫ୍ଟ ତିଆରି କରିବ। ଏହାପରେ ସରକାର ଏହାକୁ ଲାଗୁ କରିବେ। ଅନ୍ୟ ରାଜ୍ୟମାନେ ବି ୟୁସିସି ଲାଗୁ କରିବେ ବୋଲି ସେ ଆଶା ପ୍ରକାଟ କରିଛନ୍ତି। ତେବେ ଗୋଆ ପରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ୟୁସିସି ଲାଗୁ ହେବ।

Share