Categories: ଜାତୀୟ

ଅଙ୍କିତା ହତ୍ୟା ମାମଲାର ଯାଞ୍ଚ କରିବ ଏସ୍‌ଆଇଟି: ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଡେରାଡୁନ,୨୪।୯: ଉତ୍ତରାଖଣ୍ଡ ହରିଦ୍ୱାର ଜିଲାର ଏକ ରିସର୍ଟର ମହିଳା କର୍ମଚାରୀଙ୍କୁ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ହୃଦୟ ବିଦାରକ ଘଟଣା କହି ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ା ଯିବ ନାହିଁ ବୋଲି ଧାମି କହିଛନ୍ତି। ଘଟଣାରେ ଜଡ଼ିତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଡେପୁଟି ଇନ୍ସପେକ୍ଟର ଜେନେରାଲ ପି. ରେଣୁକା ଦେବୀଙ୍କ ନେତୃତ୍ୱରେ ଏକ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ସୂଚନାଯୋଗ୍ୟ, ହରିଦ୍ୱାର ଜିଲାରେ ଏକ ରିସର୍ଟର ମହିଳା କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ବରିଷ୍ଠ ଭାଜପା ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କୁ ଗିରଫ କରାଯାଇଛି। ଜିଲାର ଋଷିକେଶ ଯମକେଶ୍ୱରଠାରେ ପୁଲକିତଙ୍କର ଏକ ରିସର୍ଟ ରହିଛି। ସେଠାରେ କାମ କରୁଥିବା ପୌରି ଗରଓ୍ବାଲ ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀ ସୋମବାର ନିଖୋଜ ହୋଇଯାଇଥିଲେ। ତାଙ୍କୁ ରିସର୍ଟର ଦୁଇଜଣ କର୍ମଚାରୀଙ୍କ ସହାୟତାରେ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ପୋଲିସ ୨ କର୍ମଚାରୀଙ୍କୁ ଗିରଫ କରି ତଦନ୍ତ କରିଥିଲା। ତଦନ୍ତ ପରେ ହତ୍ୟାରେ ରିସର୍ଟ ମାଲିକ ପୁଲକିତ ସମ୍ପୃକ୍ତ ଥିବା ନେଇ ତାଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ଶୁକ୍ରବାର ବେଆଇନ ଭାବେ ନିର୍ମିତ ରିସୋର୍ଟକୁ ବୁଲଡୋଜର ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଶନିବାର ସକାଳେ ଅଙ୍କିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

Share