Categories: ଜାତୀୟ

ଜୋଷୀମଠ ଭୂମି ଧସିବା ଘଟଣାକୁ ନେଇ କମିଟି ଗଠନ କଲେ କେନ୍ଦ୍ର ସରକାର, ୩ ଦିନରେ ବେଦାକୁ ପଡିବ ରିପୋର୍ଟ

ନୂଆଦିଲ୍ଲୀ,୭ ।୧: ଉତ୍ତରାଖଣ୍ଡର ଜୋଷୀମଠ ଭୁମି ଧସିବା ଘଟଣାକୁ ନେଇ କେନ୍ଦ୍ର ସରକାର ଆଲର୍ଟ ହୋଇଯାଇଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଜୋଷୀମଠ ଭୁମି ଧସିବା ଘଟଣାକୁ ନେଇ ଏକ କମିଟି ଗଠନ କରିଛନ୍ତି । କମିଟି ଉକ୍ତ ଘଟଣା ଓ ଏହାର ପ୍ରଭାବକୁ ଷ୍ଟଡି କରିବ । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ କାର୍ଯ୍ୟାଳୟ ବିଜ୍ଞପ୍ତିରେ କୁହାଯାଇଛି, କମିଟି ପରିବେଶ ଓ ବନ ମନ୍ତ୍ରଣାଳୟ, କେନ୍ଦ୍ରୀୟ ଜଳ ଆୟୋଗ, ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଓ ସ୍ୱଚ୍ଛ ଗଙ୍ଗା ମିଶନର ପ୍ରତିନିଧି ସାମିଲ ରହିବେ ।
ଜୋଷୀମଠରେ ଭୂମି ଧସିବା ଫଳରେ କିଛି ଘରେ ଫାଟ ସୃଷ୍ଟି ହୋଇଛି । ଏହି ଘଟଣାକୁ ରାଜ୍ୟ ସରକାର ବି ଗମ୍ଭିରତାର ସହ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଲଗାତାର ଘଟଣା ଉପରେ ନଜର ରଖିଛନ୍ତି ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶନିବାର ଜୋଷୀମଠ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଜୋଷୀମଠ ଭୁମି ଧସିବା ଘଟଣାର ଅନୁଧ୍ୟାନ କରିବେ ଏହାସହ ପ୍ରଭାବିତ ଜନତାଙ୍କ ସହ କଥା ହେବେ । ଏହା ପୂର୍ବରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ଘଟଣାକୁ ନେଇ ଏକ ବୈଠକ ବସିଥିଲା ।

Share