Categories: ଜାତୀୟ

ଉତ୍ତରାଖଣ୍ଡ ସରକାରଙ୍କ ନୂଆ ସ୍କିମ୍‌: ଅନ୍ୟ ଧର୍ମରେ ବିବାହ କଲେ ମିଳିବ ୫୦ ହଜାର ପ୍ରୋତ୍ସାହନ ରାଶି

ଡେରାଡୁନ,୨୨।୧୧: ଗୋଟିଏ ପଟେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ହରିଆଣା ଭଳି ଭାଜପା ଶାସିତ ରାଜ୍ୟରେ ଲଭ ଜିହାଦ ବିରୋଧରେ ଯେଉଁଠାରେ କଡ଼ା ଆଇନ ପ୍ରଣୟନ କରିବାକୁ ନିଷ୍ପତ୍ତି ନିଆଯାଉଛି। ସେଠାରେ ଉତ୍ତରାଖଣ୍ଡ ସରକାର ଅନ୍ୟ ଧର୍ମ କିମ୍ବା ଜାତିରେ ବିବାହ କରୁଥିବା ଦମ୍ପତ୍ତିଙ୍କୁ ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି। ଏନେଇ ଉତ୍ତରାଖଣ୍ଡ ସରକାର ଏକ ନୂଆ ସ୍କିମ୍‌ ଆଣିଛନ୍ତି। ଅନ୍ୟ ଧର୍ମରେ କିମ୍ବା ଜାତିରେ ବିବାହ କଲେ ଉକ୍ତ ଦମ୍ପତ୍ତିଙ୍କୁ ରାଜ୍ୟ ସରକାର ୫୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଯେଉଁମାନଙ୍କର ବିବାହ ବୈଧ ରୂପେ ପଞ୍ଜିକୃତ ହୋଇଥିବ ସେମାନଙ୍କୁ ହିଁ ଏହି ନଗଦ ପ୍ରୋତ୍ସାହନ ପ୍ରଦାନ କରାଯିବ। ଏନେଇ ରାଜ୍ୟ ସାମାଜିକ କଲ୍ୟାଣ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଇଣ୍ଟରକାଷ୍ଟ ମ୍ୟାରେଜରେ ଏହି ପ୍ରୋତ୍ସାହନ ରାଶି ପାଇବା ପାଇଁ ଏକ ସର୍ତ୍ତ ରଖାଯାଇଛି। ଏହି ସର୍ତ୍ତ ଅନୁସାରେ ଉଭୟ ସ୍ବାମୀ ସ୍ତ୍ରୀ ଧାରା ୩୪୧ରେ ଉଲ୍ଲେଖ ଥିବା ଅନୁସୂଚିତ ଜାତି ହେବା ଆବଶ୍ୟକ। ଅନ୍ୟ ଜାତି ବା ଧର୍ମରେ ବିବାହ କରୁଥିବା ବ୍ୟକ୍ତିଙ୍କୁ ଦିଆଯାଉଥିବା ଏହି ରାଶି ଜାତୀୟ ଏକତାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ତେହେରିର ସାମାଜିକ କଲ୍ୟାଣ ଅଧିକାରୀ ଦିପାଙ୍କର ଘଡ଼ିଆଲ କହିଛନ୍ତି। ତେବେ ଏହି ଯୋଜନାର ଲାଭ ଉଠାଇବା ପାଇଁ ବିବାହର ଏକ ବର୍ଷ ମଧ୍ୟରେ ଉକ୍ତ ଦମ୍ପତ୍ତିଙ୍କୁ ଆବେଦନ କରିବାକୁ ପଡ଼ିବ ବୋଲି ସୂଚନା ରହିଛି।

Share