Categories: ଜାତୀୟ

ୟୁନିଫର୍ମ ସିଭିଲ୍‌ କୋଡ୍‌ ଲାଗୁ ପାଇଁ କମିଟି ଗଠନ କଲା ଉତ୍ତରାଖଣ୍ଡ

ଡେରାଡୁନ୍‌,୨୮।୫: ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା(ୟୁନିଫର୍ମ ସିଭିଲ୍‌ କୋଡ୍‌) ଲାଗୁ କରିବା ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇ କମିଟିର ମୁଖ୍ୟ ଥିବାବେଳେ ଅବସରପ୍ରାପ୍ତ ବିଚାରପତି ପ୍ରମୋଦ କୋହଲି, ସାମାଜିକ କର୍ମୀ ମନୁ ଗୌର, ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଶତ୍ରୁଘ୍ନ ସିଂ, ଡୁନ୍‌ ୟୁନିଭର୍ସିଟିର ଚାନ୍‌ସେଲର ସୁରେଖା ଡଙ୍ଗଓ୍ବାଲ ସଦସ୍ୟ ଅଛନ୍ତି।

ସବୁ ଧର୍ମ ସମ୍ପ୍ରଦାୟ ମଧ୍ୟରେ ସମାନତା ଆଣିବା ଓ ଦେବଭୂମି ସଂସ୍କୃତିର ସଂରକ୍ଷଣ ପାଇଁ ୟୁନିଫର୍ମ ସିଭିଲ୍‌ କୋଡ୍‌ ଆବଶ୍ୟକ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ଫେସ୍‌ବୁକ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବିଧାନସଭା ନିର୍ବାଚନ ବେଳେ ଦଳ ପକ୍ଷରୁ ଏନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବାରେ ଉତ୍ତରାଖଣ୍ଡ ଦ୍ୱିତୀୟ ରାଜ୍ୟ ହେବାକୁ ଯାଉଛି। ପୂର୍ବରୁ ଗୋଆରେ ଏହା ଲାଗୁ ହୋଇଛି।

Share