Categories: ଜାତୀୟ

୫୮ ଆସନରେ ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ଲକ୍ଷ୍ନୌ,୯ା୨: ଉତ୍ତର ପ୍ରଦେଶର ୪୦୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ୫୮ ଆସନରେ ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ପଶ୍ଚିମ ୟୁପିର ୧୧ ଜିଲାରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏହି ଜିଲାଗୁଡ଼ିକ ହେଲା ଶାମ୍‌ଲି, ହାପୁର, ଗୌତମବୁଦ୍ଧନଗର, ମୁଜାଫରନଗର, ମିରଟ, ବାଗ୍‌ପତ, ଗାଜିଆବାଦ, ବୁଲନ୍ଦସହର, ଆଲିଗଡ଼, ମଥୁରା ଓ ଆଗ୍ରା।

ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଥିବା ବେଳେ ଗୁରୁବାର ୨.୨୭ କୋଟି ଭୋଟର ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ହାଇପ୍ରୋଫାଇଲ୍‌ ପ୍ରାର୍ଥୀଙ୍କ ମଧ୍ୟରେ ଯୋଗୀ ସରକାରଙ୍କ ୯ ମନ୍ତ୍ରୀ ଅଛନ୍ତି। ସେମାନେ ହେଲେ ସୁରେଶ ରାଣା, ଅତୁଲ ଗର୍ଗ, ଶ୍ରୀକାନ୍ତ ଶର୍ମା, ସନ୍ଦୀପ ସିଂ, ଅନିଲ ଶର୍ମା, କପିଳ ଦେବ ଅଗ୍ରଓ୍ବାଲ, ଦୀନେଶ ଖାତିକ, ଜି.ଏସ୍‌. ଧର୍ମେଶ ଏବଂ ଚୌଧରୀ ଲକ୍ଷ୍ମୀ ନାରାୟଣ। ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ଭାଜପା ଏବଂ ସମାଜବାଦୀ ପାର୍ଟି(ଏସ୍‌ପି)-ରାଷ୍ଟୟୀୟ ଲୋକ ଦଳ (ଆର୍‌ଏଲ୍‌ଡି) ମେଣ୍ଟ ମଧ୍ୟରେ ହେଉଥିଲେ ହେଁ କେତେକ ଆସନରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ମଧ୍ୟ ପ୍ରଭାବ ରହିଛି। ୨୦୧୭ ବିଧାସନଭା ନିର୍ବାଚନରେ ୫୮ରୁ ଭାଜପା ୫୩ ଆସନ ଦଖଲ କରିଥିଲା।

Share