ସଂଘର୍ଷରୁ ସଫଳ ‘ଉତ୍ତମ’

ଭୁବନ, ୩।୧୨(ଡି.ଏନ.ଏ.)  ସମୟର ପ୍ରତିକୂଳ ସ୍ରୋତ ଛଡ଼ାଇ ନେଇଥିଲା ବହି ବସ୍ତାନି। ଜଣେ ମେଧାବୀ ଛାତ୍ରଙ୍କ ଉଚ୍ଚଶିକ୍ଷିତ ହେବାର ଅଭିଳାଷରେ ସେଇଠି ପଡ଼ିଗଲା ଯବନିକା। ତଥାପି ସେ ମାନି ନ ଥିଲେ ହାର୍‌। ହାତରେ ଆଶାବାଡ଼ି, କାନ୍ଧରେ ଦାୟିତ୍ୱର ବଡ଼ ଗଣ୍ଠିଲି ଧରି ସେ ଆରମ୍ଭ କଲେ ଯାତ୍ରା। ନିଷ୍ଠାପର ଉଦ୍ୟମ ଏବଂ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ଆତ୍ମନିର୍ଭରଶୀଳ କରିଛି। ସଂଘର୍ଷରୁ ସଫଳ ତଥା ଦିବ୍ୟାଙ୍ଗଙ୍କ ପ୍ରେରଣାର ଉତ୍ସ ପାଲଟିଥିବା ଏହି ବ୍ୟକ୍ତି ଜଣକ ହେଲେ ଭୁବନ ବ୍ଲକର ଉତ୍ତମ ମଲ୍ଲିକ।
ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୂଷଳ ପଞ୍ଚାୟତ ଚଣ୍ଡୀପାଳ ଗ୍ରାମର ଉତ୍ତମ ମଲ୍ଲିକ ଜଣେ ଦିବ୍ୟାଙ୍ଗ। ତାଙ୍କର ବାମଗୋଡ଼ ପୋଲିଓ ଯୋଗୁ ସମ୍ପୂର୍ଣ୍ଣ ଅକାମୀ ହୋଇଯାଇଛି। ଡାହାଣ ଗୋଡ଼ ମଧ୍ୟ ଶତ ପ୍ରତିଶତ ଠିକ୍‌ରେ କାର୍ଯ୍ୟ କରୁନାହିଁ। ବିନା ଆଶା ବାଡ଼ିରେ ଚଲାବୁଲା କରିବା ତାଙ୍କ ଲାଗି ଦୁରୂହ ବ୍ୟାପାର। ବର୍ଷକର ହୋଇଥିବାବେଳେ ଉତ୍ତମ ରୋଗାକ୍ରାନ୍ତ ହେଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ଜୀବନ ସଂଘର୍ଷ। ପିଲାଟି ଦିନରୁ ଶିକ୍ଷାରେ ଧୁରୀଣ ଉତ୍ତମ ସରାଙ୍ଗ ନବୋଦୟ ବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ପାଇଥିଲେ। ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବାବେଳେ ସରକାରୀ ନିୟମ ଅନୁଯାୟୀ ସେ ବିହାରରେ ପଢ଼ିବା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ। ହେଲେ ବିହାର ଯିବା ପୂର୍ବରୁ ଅସୁସ୍ଥ ବାପା ହାତ ଛାଡ଼ି ଚାଲିଗଲେ ଆରପାରିକୁ। ଏପରି ସମୟରେ ସେ ବିହାର ଯିବା ଅବସ୍ଥାରେ ନ ଥିଲେ। ସରକାରୀ ନିୟମ ଅନୁଯାୟୀ ତାଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ପଡ଼ିଲା। ଅସମୟରେ ବାପାଙ୍କୁ ହରାଇଥିବା ଉତ୍ତମଙ୍କ କାନ୍ଧରେ ପଡ଼ିଥିଲା ମା’ ଖୁଲଣା ଏବଂ ୪ ଭଉଣୀଙ୍କ ବୋଝ। ଏହାପରେ ତାଙ୍କୁ ଘାରିଥିଲା ରୋଜଗାର ଚିନ୍ତା। କାଠକାମ, ଚିତ୍ର ଆଙ୍କିବାରେ ସଉକ ରଖୁଥିବା ଉତ୍ତମଙ୍କୁ ଏଭଳି ଦୁଃସମୟରେ ସହଯୋଗ କରିବାକୁ ଆଗେଇ ଆସିଲେ ଗ୍ରାମର କାଠ କାରିଗର ଚିନ୍ତାମଣି ବେହେରା। ତାଙ୍କ ନିକଟରେ ୧୫ ଦିନ କାଠକାମ ଶିଖିବା ପରେ ନିହାଣ, ମୁଗୁର ଧରିଥିଲେ ଉତ୍ତମ। ଏଥିରେ ସିଦ୍ଧହସ୍ତ ହୋଇଯିବା ପରେ ନିଜସ୍ବ ଉଦ୍ୟମରେ ଏକ ଫର୍ନିଚର ଦୋକାନ କରିଛନ୍ତି। ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ଲକ୍ଷାଧିକ ଟଙ୍କାରେ ପହଞ୍ଚତ୍ଛି। ତାଙ୍କ ନିକଟରେ ଅନ୍ୟ ୭ଜଣ କାରିଗର କାମ କରୁଛନ୍ତି। ତାଙ୍କ ଦୋକାନରୁ ନିର୍ମିତ ସାମଗ୍ରୀ ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଅନୁଗୋଳ ଜିଲାକୁ ଯାଉଛି। ସମସ୍ତ ଖର୍ଚ୍ଚ ଯିବା ପରେ ମାସିକ ୩୦,୦୦୦ ଟଙ୍କା ଯାଏ ଲାଭ ହେଉଛି। ନିଜ ରୋଜଗାରରେ ୪ ଭଉଣୀଙ୍କୁ ବିବାହ ଦେଇଛନ୍ତି। ମା’, ସ୍ତ୍ରୀ ଏବଂ ୨ ଝିଅପୁଅଙ୍କ ଅଭାବ ଅସୁବିଧା ବୁଝୁଛନ୍ତି। ନିକଟରେ ପିଏମ୍‌ଇଜିପି ସ୍କିମ୍‌ରେ ୨୫ ଲକ୍ଷ ଟଙ୍କା ଋଣ ଆବେଦନ କରିଥିଲେ। ଯୋଗ୍ୟ ବିବେଚିତ ହେବା ସହ ପ୍ରଶିକ୍ଷଣ ନେଇଥିଲେ। ଋଣ ମଞ୍ଜୁର ହୋଇଥିଲେ ସେ ଏକ ଶୋ’ରୁମ୍‌ କରିବାକୁ ଆଶା ରଖିଥିଲେ। ହେଲେ ବ୍ୟାଙ୍କ ଋଣ ଦେବାକୁ ମନା କରିବା ପରେ ନିରାଶ ହୋଇଛନ୍ତି ଉତ୍ତମ। ସରକାରୀସ୍ତରରେ ସହଯୋଗ ମିଳିଲେ ଅନେକ ଦିବ୍ୟାଙ୍ଗ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି।