ପୁନରୁଦ୍ଧାର ହେବ ଉତ୍କଳମଣି ଗୋପବନ୍ଧୁଙ୍କ ଭବନ: କ୍ଷେତ୍ର ପରିଦର୍ଶନ କଲେ ଅତିରିକ୍ତ ଶାସନ ସଚିବ

ବାରିପଦା ଅଫିସ,୧୯୪: ମୟୂରଭଞ୍ଜ ଜିଲା ବାରିପଦା ପୌରପରିଷଦର ପ୍ରଥମ ଉପାଧ୍ୟକ୍ଷ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସରକାରୀ ବାସଭବନର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ବୁଧବାର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ କ୍ଷେତ୍ର ପରିଦର୍ଶନରେ ଯାଇ ଜିଲା ପ୍ରଶାସନ ସହିତ ଆଲୋଚନା କରିବା ସହ ସମୀକ୍ଷା କରିଛନ୍ତି। ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଭବନର ନବୀକରଣ ସହ ଜବରଦଖଲ ଉଚ୍ଛେଦ କରିବାକୁ ମ୍ୟୁନି ସିପାଲିଟି ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ଓ ଜିଲାପାଳ ବିନୀତ ଭରଦ୍ବାଜଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୧କୋଟି ଟଙ୍କା ପ୍ରସ୍ତାବ ଅଟକଳକୁ ନେଇ ଜିଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଟେଣ୍ଡର ଆହ୍ବାନ କରିବାକୁ ଥିବା ବେଳେ ୮ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଜିଲା ଗସ୍ତ ସମୟରେ ମୟୂରଭଞ୍ଜ ସିଟିଜେନ ଫୋରମ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇଥିଲା। ଏହାକୁ ନେଇ ମହାପୁରୁଷଙ୍କ ଜନ୍ମସ୍ଥାନ ଓ ବାସସ୍ଥଳୀ ଗୁଡିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନରୁଦ୍ଧାର କରୁଥିବା ବେଳେ ବାରିପଦାର ଗୋପବନ୍ଧୁ ଭବନର ରୂପରେଖ ଓ ପାରିପାଶର୍‌ବିକ ସୌନ୍ଦର୍ଯ୍ୟକରଣ କରିବାକୁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବଶୀଘ୍ର ଟେଣ୍ଡର କରାଯାଇ ଡିସେମ୍ବର ମାସ ଶେଷ ସୁଦ୍ଧା କାର୍ଯ୍ୟ ଶେଷ କରାଯିବ ବୋଲି ସଚିବ ସାହୁ ପ୍ରକାଶ କରିଛନ୍ତି।