ପ୍ରଶାନ୍ତ ମହାସାଗରରେ ଆମେରିକାର ବୃହତ୍‌ ନୌସମରାଭ୍ୟାସ, ଚାଇନାର ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୩।୮ : ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତରେ ହତାଶ ହୋଇ ଚାଇନା ତାଇୱାନକୁ ଘେରିବା ପାଇଁ ଏକ ପ୍ରମୁଖ ସାମରିକ ଅଭ୍ୟାସ କରୁଛି। ଏପରିସ୍ଥଳେ ପ୍ରଶାନ୍ତ ମହାସାଗରରେ ଆମେରିକାର ନୌସେନା ଦ୍ୱାରା ବିଶ୍ୱର ସର୍ବ ବୃହତ ନୌସମରାଭ୍ୟାସ ଚାଲିଛି। ଏଥିରେ ଆମେରିକା ସମେତ ୨୬ ଟି ଦେଶର ନୌସେନା ରିମ୍‌ ପ୍ୟାକ୍‌ ଅଭ୍ୟାସରେ ଭାଗ ନେଉଛନ୍ତି। ବିଶେଷ କଥା ହେଉଛି ଏହି ଅଭ୍ୟାସରେ ଭାରତର ନୌସେନା ଏବଂ ସ୍ବତନ୍ତ୍ର ବାହିନୀ ମଧ୍ୟ ଯୋଗ ଦେଇଛନ୍ତି।

ଏହି ଅଭ୍ୟାସ ପ୍ରଶାନ୍ତ ମହାସାଗରରେ ଗତ ୪୦ ବର୍ଷ ଧରି ଜାରି ରହିଛି। ପ୍ରତି ଦୁଇ ବର୍ଷରେ ଏହା ଆୟୋଜିତ ହୋଇଥାଏ। ଏହାକୁ ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି।

ତାଇୱାନର ମୁଖ୍ୟ ବନ୍ଦର ଏବଂ ଜାହାଜ ଚଳାଚଳକୁ ଅବରୋଧ କରିବା ଉଦ୍ଦେଶ୍ୟରେ ଚାଇନାର ପିଏଲ୍‌ଏ ସେନାର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଦକ୍ଷିଣ ଚାଇନା ସାଗରରେ ଏକ ପ୍ରମୁଖ ସାମରିକ ଅଭ୍ୟାସ ଆରମ୍ଭ କରିଛି।

ରିମ୍‌ ପ୍ୟାକ୍‌ରେ ଆମେରିକାର ସପ୍ତମ ଫ୍ଲାଇଟ ର ଅନ୍ୟତମ ବୃହତ ବିମାନ ପରିବହନକାରୀ ୟୁଏସଏସ ଆବ୍ରାହମ ଲିଙ୍କନ ସମେତ ମୋଟ ୩୮ ଯୁଦ୍ଧ ଜାହାଜ, ତିନୋଟି ବୁଡ଼ାଜାହାଜ, ୩୦ ରୁ ଅଧିକ ୟୁଏଭି, ୧୭୦ ସାମରିକ ବିମାନ ଏବଂ ୨୫ ହଜାର ସୈନିକ ଅଂଶଗ୍ରହଣ କରିଛନ୍ତି।

ରିମ୍‌ପ୍ୟାକ୍‌ରେ ଅଂଶଗ୍ରହଣ କରୁଥିବା ଦେଶ ମଧ୍ୟରେ ୧୧ ଟି ଦେଶ ଏସିଆର, ପାଞ୍ଚଟି ୟୁରୋପର, ଚାରିଟି ଦକ୍ଷିଣ ଆମେରିକାର, ତିନିଟି ଉତ୍ତର ଆମେରିକାର ଏବଂ ତିନୋଟି ଦେଶ ଓସେନିଆର। ପ୍ରମୁଖ ଦେଶ ମଧ୍ୟରେ ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ଜାପାନ, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ, ମାଲେସିଆ, ନ୍ୟୁଜିଲାଣ୍ଡ, ଫିଲିପାଇନ୍ସ, ଥାଇଲାଣ୍ଡ, ମେକ୍ସିକୋ ଏବଂ ପେରୁ ଏଥିରେ ଯୋଗଦେଇଛନ୍ତି। ଆଇଏନଏସ ସତପୁରା, ଭାରତୀୟ ନୌସେନାର ଏକ ଗାଇଡ ମିସାଇଲ ଫ୍ରିଗେଟ ଏବଂ ଅନୁସନ୍ଧାନ ବିମାନ ପି-୮-ଆଇ ଏଥିରେ ଅଂଶଗ୍ରହଣ କରିଛି। ସୂଚନାଯୋଗ୍ୟ ଯେ ପି-୮-ଆଇ ବିମାନ ମଧ୍ୟ ଆଣ୍ଟି-ସବମେରାଇନ ଯୁଦ୍ଧରେ ପାରଙ୍ଗମ। ଏହା ବ୍ୟତୀତ ଭାରତ, ଆମେରିକା, ଜର୍ମାନୀ ଏବଂ ଦକ୍ଷିଣ କୋରିଆର ସ୍ବତନ୍ତ୍ର କମାଣ୍ଡୋ ବାହିନୀ ମଧ୍ୟ ଏହି ଅଭ୍ୟାସରେ ଭାଗ ନେଇଛନ୍ତି।

Share