ଉଷା ପାଢ଼ୀଙ୍କୁ ନୂଆ ଦାୟିତ୍ୱ: ଦକ୍ଷତା ବିକାଶ ସହ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଆଇଏଏସ୍‌ ଅଫିସରସ୍ତରରେ ଅଦଳ ବଦଳ କରାଯାଇଛି। କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଉଷା ପାଢୀ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଏଥିସହିତ ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ସେହିଭଳି ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କଠାରୁ ଅତିରିକ୍ତ ଦାୟିତ୍ୱ କାଢି ନିଆଯାଇଛି। ହେମନ୍ତଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବରୁ ଅବ୍ୟାହତି ଦିଆଯାଇଛି। ତେବେ ଇପିକଲ୍‌ ଓ ଇଡକୋ ଅଧ୍ୟକ୍ଷ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିପରି ବିଷ୍ଣୁ ପଦଙ୍କ ଠାରୁ ବାଣିଜ୍ୟ ଓ ପରିବହନ ବିଭାଗ ଦାୟିତ୍ୱକୁ କାଢି ନିଆଯାଇଥିବା ନେଇ ସଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।