ଆବର୍ଜନାରୁ ଉପଯୋଗୀ ଷ୍ଟ୍ରକ୍‌ଚର

ଅନୁଗୋଳ ଅଫିସ, ୩୦।୪: ସହର ସୌନ୍ଦର୍ଯ୍ୟକୁ ବିଗାଡୁଥିବା ବର୍ଜ୍ୟ ପ୍ଲାଷ୍ଟିକ୍‌, ପଲିଥିନକୁ ବ୍ୟବହାର କରି ନିର୍ମାଣ ହେଉଛି ଜୈବ ଇଟା ଷ୍ଟ୍ରକ୍‌ଚର। ଏହାଦ୍ୱାରା କେବଳ ଆବର୍ଜନାର ଉଚିତ ପରିଚାଳନା ହେଉନାହିଁ, ଅଧିକନ୍ତୁ ଏହାକୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଛି। ପରିବେଶ ପ୍ରଦୂଷଣ ସମସ୍ୟାର ସମାଧାନ ଲାଗି ଅନୁଗୋଳ ‘ସାଥୀ ପରିବାର’ ପକ୍ଷରୁ ଆରମ୍ଭ ହୋଇଥିବା ଏଭଳି ଅଭିନବ ପ୍ରକଳ୍ପକୁ ବିଭିନ୍ନ ମହଲରେ ଭୂରିଭୂରି ପ୍ରଶଂସା କରାଯାଉଛି।
ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ଜଳ, ବାୟୁ, ମୃତ୍ତିକା, ଭୂତଳ ଜଳ ପ୍ରଦୂଷିତ ହେଉଛି। ଆର୍ଦ୍ରଭୂମି, ବନ୍ୟଜୀବଙ୍କ ପ୍ରାକୃତିକ ଆବାସସ୍ଥଳୀ ପ୍ରଭାବିତ ହେବାରେ ଲାଗିଛି। ଏକ ଆକଳନ ଅନୁଯାୟୀ, ପ୍ଲାଷ୍ଟିକ୍‌ ପ୍ରଦୂଷଣରେ ବିଶ୍ୱରେ ଭାରତର ସ୍ଥାନ ୧୨। ଏହାକୁ ନେଇ ଭୟଙ୍କର ସ୍ଥିତି ଉପୁଜିଲାଣି। ଏହାର ପ୍ରତିକାର କରିବା ଲାଗି ‘ସାଥୀ ପରିବାର’ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଦୈନିକ ସନ୍ଧ୍ୟାରେ ଅନୁଷ୍ଠାନର ସଦସ୍ୟମାନେ ଅନୁଗୋଳ ସହରର ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରୁ ଲୋକମାନେ ଫିଙ୍ଗି ଦେଉଥିବା ବିଭିନ୍ନ ଖାଦ୍ୟପଦାର୍ଥ ଜରି, ପ୍ଲାଷ୍ଟିକ୍‌ ବୋତଲ ସଂଗ୍ରହ କରୁଛନ୍ତି। ଅଦରକାରୀ ପଲିଥିନକୁ ପରିଷ୍କାର କରି ବୋତଲ ଭିତରେ ଭର୍ତ୍ତି କରୁଛନ୍ତି। ଏକ ଲିଟର ବିଶିଷ୍ଟ ବୋତଲରେ ପାଖାପାଖି ୨୫୦ରୁ ୩୦୦ ଗ୍ରାମ୍‌ ଯାଏ ପଲିଥିନ ପୂରାଇ ଏକ ବାଡି ସହାୟତାରେ ଟାଇଟ୍‌ କରି ଦିଆଯାଉଛି। ଏଭଳି ଏକାଧିକ ବୋତଲକୁ ମିଶାଇ ସିମେଣ୍ଟ ଷ୍ଟ୍ରକ୍‌ଚର ପ୍ରସ୍ତୁତ କରାଯାଉଛି। ଅଦ୍ୟାବଧି ଏଭଳି ୩୫୦ ଷ୍ଟ୍ରକ୍‌ଚର ପ୍ରସ୍ତୁତ ହୋଇସାରିଲାଣି। ଏଥିରେ ୧୫୦ରୁ ଅଧିକ ଦିନ ସମୟ ଲାଗିଥିବାବେଳେ ଅନୁଷ୍ଠାନର ସଦସ୍ୟମାନେ ୪୫୦ ଘଣ୍ଟା ସମୟ ଦାନ କରିଛନ୍ତି। ଏଭଳି ଷ୍ଟ୍ରକ୍‌ଚର ପ୍ରସ୍ତୁତିରେ ଏକ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ବର୍ଜ୍ୟର ସଦୁପଯୋଗ କରାଯାଇପାରିଛି। ଏଭଳି ଜୈବ ଇଟା ଷ୍ଟ୍ରକ୍‌ଚରକୁ ସୁରକ୍ଷା ପାଚେରି ନିର୍ମାଣ, ଗଛର ସୁରକ୍ଷା ବାଡ଼, ମୁକୁଳା ଟ୍ରାନ୍ସଫର୍ମରକୁ ଘେରାବନ୍ଦୀ କରିବାରେ ବ୍ୟବହାର କରାଯାଇପାରିବ ବୋଲି ସାଥୀ ପରିବାରର ସୁବ୍ରତ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟପଟେ ଜରଡ଼ାସ୍ଥିତ ବ୍ରଜମୋହନ ହାଇସ୍କୁଲରେ ସଙ୍ଗଠନ ପକ୍ଷରୁ ଶିକ୍ଷକ, ଛାତ୍ରୀଛାତ୍ରଙ୍କ ଉପସ୍ଥିତିରେ ଜୈବ ଇଟା ସଂକ୍ରାନ୍ତ ପ୍ରଥମ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।