ଆନ୍ଦୋଳନ ଦମନ ପାଇଁ ବଳ ପ୍ରୟୋଗ

ବେଜିଂ,୨୯।୧୧:ଚାଇନାରେ କଠୋର କୋଭିଡ୍‌ ନୀତିକୁ ବିରୋଧ କରି ବିଭିନ୍ନ ସହରରେ ଆନ୍ଦୋଳନ ଜୋର୍‌ଦାର ହେବା ସହ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି କରାଯାଉଛି। ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୋଲିସ ବଳ ପ୍ରୟୋଗ କରିଛି। କ୍ରମାଗତ ୨ ରାତି ଧରି ବିକ୍ଷୋଭ ପରେ ସୋମବାର ସାଂଘାଇ ସମେତ ବିଭିନ୍ନ ସହରରୁ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ବିକ୍ଷୋଭକାରୀଙ୍କୁ ଦୂରେଇ ରଖିବା ପାଇଁ ରାସ୍ତାରେ ବ୍ୟାରିକେଡ୍‌ କରାଯାଇଛି। ବିକ୍ଷୋଭ ଖବର ସଂଗ୍ରହ କରୁଥବା ବିବିସି ଖବରଦାତା ଏଡ୍‌ ଲରେନ୍ସଙ୍କୁ ପୋଲିସ ରବିବାର ମାଡ଼ ମାରିବା ସହ ଗିରଫ କରିଥିଲା। ପରେ ତାଙ୍କୁ ଛାଡ଼ି ଦେଇଛି। ଲରେନ୍ସ ତାଙ୍କ ସାମ୍ବାଦିକତା ପ୍ରମାଣପତ୍ର ଦେଖାଇପାରି ନ ଥିଲେ ବୋଲି ଚାଇନା ସରକାର କହିଛନ୍ତି। ଅନେକ ପୋଲିସ ଅଧିକାରୀ ଲରେନ୍ସଙ୍କୁ ତଳେ ପକାଇ ପିଟିବା ସହ ଗୋଇଠା ମାରିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପରେ ସେମାନେ ତାଙ୍କୁ ହ୍ୟାଣ୍ଡକଫ୍‌ ପକାଇ ନେଇଯାଇଥିଲେ।
ଜିରୋ-କୋଭିଡ୍‌ ନୀତିକୁ ନେଇ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି। କୋଭିଡ୍‌ ପାଇଁ ଗଣ ପରୀକ୍ଷା, କ୍ୱାରାଣ୍ଟାଇନ ଏବଂ ଲକ୍‌ଡାଉନ ଯୋଗୁ ଉତ୍ତେଜନା ବୃଦ୍ଧି ପାଇଛି। ଫଳରେ ସପ୍ତାହାନ୍ତରେ ରାଜଧାନୀ ବେଜିଂ, ସାଂଘାଇ ଓ ଅନ୍ୟ ସହରରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଲକ୍‌ଡାଉନ୍‌ କଟକଣା ଉରୁମ୍‌କି ସହରରେ ନିଆଁଲିଭା କାର୍ଯ୍ୟରେ ପ୍ରତିବନ୍ଧକ ସାଜିବାରୁ ୧୦ ଜଣଙ୍କ ଜୀବନ ଗଲା ବୋଲି ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି। ଆନ୍ଦୋଳନ ପରେ କାଁଭଁା ଅଞ୍ଚଳରେ କୋଭିଡ୍‌ କଟକଣାକୁ କୋହଳ କରାଯାଇଥିଲେ ହେଁ ଜିରୋ-କୋଭିଡ୍‌ ନୀତିରେ ପରିବର୍ତ୍ତନ କରାଯିବ ନାହିଁ ବୋଲି କୁହାଯାଇଛି। ବିକ୍ଷୋଭ ଏବଂ ଜିନ୍‌ପିଙ୍ଗଙ୍କୁ ବିରୋଧ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ବିବୃତି ଦିଆଯାଇ ନାହିଁ। ପୋଲିସ କାର୍ଯ୍ୟାନୁଷ୍ଠାନରେ କେତେ ବିକ୍ଷୋଭକାରୀ ଗିରଫ ହୋଇଛନ୍ତି ତାହା ମଧ୍ୟ ସରକାରୀ ଭାବେ କୁହାଯାଇ ନାହିଁ। ସାଂଘାଇରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପିପର ସ୍ପ୍ରେ ବ୍ୟବହାର କରିଥିଲା।
ଜିନ୍‌ପିଙ୍ଗ୍‌ଙ୍କ ଶାସନ ଉପରୁ ଲୋକଙ୍କ ଆସ୍ଥା ତୁଟିଯିବାରୁ ଏଭଳି ଆନ୍ଦୋଳନ ମୁଣ୍ଡ ଟେକିଥିବା ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ କେଭିଡ୍‌ ରୁଡ୍‌ କହିଛନ୍ତି। ବର୍ତ୍ତମାନର ଆନ୍ଦୋଳନ କେବଳ କୋଭିଡ୍‌ କଟକଣାକୁ ନେଇ ନୁହେଁ, ଜିନ୍‌ପିଙ୍ଗ କ୍ରମାଗତ ତୃତୀୟ ଥର ପାଇଁ ଶାସକ ଦଳ ମୁଖ୍ୟ ନିର୍ବାଚିତ ହେବା ପରେ ଆନ୍ଦୋଳନ ଆରମ୍ଭ ହୋଇଥିବା ସେ କହିଛନ୍ତି।
ବ୍ୟାପକ ଆନ୍ଦୋଳନ ସତ୍ତ୍ୱେ ଚାଇନା ସରକାର ଜିରୋ-କୋଭିଡ୍‌ ନୀତି ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଦେଶରେ ଦୈନିକ ସଂକ୍ରମଣ ୪୦,୦୦୦ରେ ପହଞ୍ଚତ୍ଲାଣି। ତେଣୁ କୋଭିଡ୍‌ ନୀତିରେ ପରିବର୍ତ୍ତନ କରାଯିବ ନାହିଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ କହିଛନ୍ତି। ସିପିସି ନେତୃତ୍ୱ ଏବଂ ଜନସାଧାରଣଙ୍କ ସମର୍ଥନରେ କୋଭିଡ୍‌-୧୯ ବିରୋଧରେ ଆମ ଲଢ଼େଇ ସଫଳ ହେବ ବୋଲି ସରକାର ବିଶ୍ୱାସ କରୁଥିବା ଝାଓ ଗଣମାଧ୍ୟମକୁ କହିଛନ୍ତି।

Share