Categories: ଜାତୀୟ

ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକର ଏସବୁ ସାମଗ୍ରୀର ବ୍ୟବହାରକୁ ମନା, ସରକାରୀ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୨୮।୬ : ଦେଶରେ ପରିବେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧ ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଜାତୀୟ ତଥା ରାଜ୍ୟ ସ୍ତରରେ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯିବ ବୋଲି ମଙ୍ଗଳବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକର ବେଆଇନ ଉତ୍ପାଦନ, ଆମଦାନୀ, ସଂରକ୍ଷଣ, ବଣ୍ଟନ ଏବଂ ବିକ୍ରୟ ଯାଞ୍ଚ କରିବା ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ କରାଯିବ। ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ ଏହି କଥା କୁହାଯାଇଛି।

ମନ୍ତ୍ରଣାଳୟ କହିଛି ଯେ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପଠାଯିବ ନାହିଁ । ବିବୃତ୍ତିରେ କୁହାଯାଇଛି ଯେ ଏକକ ବ୍ୟବହାର ପ୍ଲାଷ୍ଟିକ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ସାମୁଦ୍ରିକ ପରିବେଶ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ।ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ ଯୋଗୁଁ ବଢୁଥିବା ପ୍ରଦୂଷଣ କେବଳ ଭାରତ ନୁହେଁ ଅନେକ ଦେଶ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଛି।

ନିଷିଦ୍ଧ ହେବାକୁ ଥିବା ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ ସାମଗ୍ରୀର ତାଲିକା ମଧ୍ୟରେ ପ୍ଲାଷ୍ଟିକ ଷ୍ଟିକ, ବେଲୁନର ପ୍ଲାଷ୍ଟିକ ଷ୍ଟିକ, ପ୍ଲାଷ୍ଟିକ ପତାକା, କ୍ୟାଣ୍ଡି ଷ୍ଟିକ, ଆଇସ୍କ୍ରିମ ଷ୍ଟିକ, ସାଜସଜ୍ଜା ପାଇଁ ଥର୍ମୋକୁଲ, ପ୍ଲାଷ୍ଟିକ ପ୍ଲେଟ, କପ, ଗ୍ଲାସ, ମିଠା ବାକ୍ସରେ ଗୁଡ଼ା ଯାଉଥିବା ପରଦର୍ଶୀ ପ୍ଳାଷ୍ଟିକ୍‌, ୧୦୦ ମାଇକ୍ରନ ସ୍ବଚ୍ଛ ପ୍ଲାଷ୍ଟିକ, ପ୍ଲାଷ୍ଟିକ ଚାମଚ, ଛୁରୀ, ଷ୍ଟ୍ର, ଟ୍ରେ, ନିମନ୍ତ୍ରଣ କାର୍ଡ, ସିଗାରେଟ ପ୍ୟାକେଟ, ପିଭିସି ବ୍ୟାନର ଆଦି ରହିଛି।

ସରକାର ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଏହା ଅଧିକ ପ୍ରଭାବ ପକାଇ ନାହିଁ। ଛୋଟ ବ୍ୟବସାୟୀମାନେ ମଧ୍ୟ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ପ୍ରାୟ ୧ ଲକ୍ଷ ଛୋଟ ୟୁନିଟ ବନ୍ଦ ହୋଇଯିବ।

 

Share