ଗୁଳିମାଡ଼ରେ ସମିତି ସଭ୍ୟାଙ୍କ ସ୍ବାମୀ ମୃତ

ବେଲପଡା, ୨୮ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ବେଲପଡା ବ୍ଲକ ବାଗଡୋର ପଞ୍ଚାୟତର ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ବାମୀ ଲୋକନାଥ ବିଶ୍ୱାଳ(୪୫) ସୋମବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ବନମାଲସ୍ଥିତ ବାସଭବନ ସମ୍ମୁଖରେ ସ୍ତ୍ରୀଙ୍କ ସହ ବସିଥିବା ବେଳେ ଏକ ବାଇକ୍‌ରେ ଆସି ୨ଜଣ ଦୁର୍ବୃତ୍ତ ଲୋକନାଥଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ। ପରେ ଅନ୍ଧାରର ସୁଯୋଗ ନେଇ ସେମାନେ ବାଇକ ସହ ସେଠାରୁ ଲାଠୋର ରାସ୍ତାରେ ଦ୍ରୁତଗତିରେ ଖସି ପଳାଇଥିଲେ। ଗୁରୁତର ଅବସ୍ଥାରେ ଲୋକନାଥଙ୍କୁ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଛାତିରେ ଗୁଳିମାଡ଼ ହୋଇଥିବା ଡାକ୍ତର ଅମର ମିଶ୍ର କହିଛନ୍ତି। ମୃତ୍ୟୁ ପୂର୍ବରୁ ଲୋକନାଥ ଗଁାର ଗିରିଧାରୀ ଓ ବସୁଙ୍କ ନାମ ନେଇଥିଲେ। ଏମାନଙ୍କ ସହ ଲୋକନାଥଙ୍କର ପୂର୍ବ ଶତ୍ରୁତା ଥିବା କୁହାଯାଉଛି। ମାଓବାଦୀ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ। ସବିଶେଷ ଖବର ଅନୁସାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଲାଠୋରଠାରେ କାବୁ କରିଛି। ତେବେ କାବୁ କରିବା ପୂର୍ବରୁ ଅଭିଯୁକ୍ତମାନେ ଖସିଯିବା ପାଇଁ ଗୁଳିଚାଳନା କରିଥିବା ଜଣାପଡିଛି। ତଦନ୍ତରେ ବାଧା ଉପୁଜିବା ସମ୍ଭାବନା ଥିବାରୁ ଅଭିଯୁକ୍ତଙ୍କ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି ବେଲପଡା ଥାନା ଆଇଆଇସି ବୁଲୁ ମୁଣ୍ଡା।