ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର ଚାମ୍ପିଅନ ହୋଇଛି ଆମେରିକା। ଡଲାସରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ନାମ୍ବିଆ ୨୯୮ ରନ୍ର ଟାର୍ଗେଟ ଦେଇଥିଲେ ମଧ୍ୟ ଆମେରିକା ୪୮.୫ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନାମ୍ବିଆ ୫୦ ଓଭରରେ ୯ ଉଇକେଟ ହରାଇ ୨୯୮ ରନ ସଂଗ୍ରହ କରିଥିଲା। ଓପନର ମାଇକେଲ ଭାନ ଲିଙ୍ଗେନ ଚମତ୍କାର ବ୍ୟାଟିଂ କରି ୧୨୪ ରନ୍ର ଶତକୀୟ ପାଳି ଖେଳିଥିଲେ। ତାଙ୍କ ବ୍ୟାଟ୍ରେ ୧୧ଟି ଚୌକା ଆସିଥିଲା। ଅନ୍ୟପଟେ ଅଧିନାୟକ ଗେରହାର୍ଡ ଇରାସମସ ୪୫ ବଲ୍ରୁ ୯ ଚୌକା ଓ ୩ ଛକା ସହ ୭୬ ରନ କରିଥିଲେ। ଉଭୟଙ୍କ ମଧ୍ୟରେ ଚତୁର୍ଥ ଉଇକେଟ ପାଇଁ ୧୦୬ ରନ୍ର ଦମଦାର ଭାଗୀଦାରୀ ହୋଇଥିଲା।
୨୯୯ ରନ୍ର ବିଜୟ ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଆମେରିକାକୁ ଓପନର ସ୍ମିତ ପଟେଲ ଓ ମୋନାଙ୍କ ପଟେଲ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଉଇକେଟ ପାଇଁ ୧୦୮ ବଲ୍ରୁ ୯୬ ରନ ଯୋଡ଼ିଥିଲେ। ସ୍ମିତ ୬୨ ବଲ୍ରୁ ୪ ଚୌକା ଓ ୨ ଛକା ସହ ୫୦ ରନ କରି ଆଉଟ ହୋଇଥିଲେ। ଏହାପରେ ମୋନାଙ୍କ ପଟେଲ ଓ ଶେହାନ ଜୟସୂର୍ଯ୍ୟା ମିଶି ନାମ୍ବିଆ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଦ୍ୱିତୀୟ ଉଇକେଟ ପାଇଁ ଉଭୟ ୧୦୬ ବଲ୍ରୁ ୧୨୧ ରନ ଯୋଡ଼ିଥିଲେ। ମୋନାଙ୍କ ପଟେଲ ୧୦୦ ବଲ୍ରେ ୧୪ଟି ଚୌକା ସହ ୧୦୮ ରନ୍ର ମ୍ୟାଚ ବିଜୟୀ ପାଳି ଖେଳିଥିଲେ। ଅନ୍ୟପଟେ ଶେହାନ ଜୟସୂର୍ଯ୍ୟା ୭୪ ରନ୍ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।
ମୋନାଙ୍କଙ୍କ ଉଇକେଟ ପଡ଼ିବା ପରେ ମଧ୍ୟ ଆମେରିକାର ବିଜୟରେ କୌଣସି ବାଧା ସୃଷ୍ଟି ହୋଇ ନ ଥିଲା। ସୈତେଜା ମୁକ୍କମଲ୍ଲା ୬, ସଞ୍ଜୟ କୃଷ୍ଣମୂର୍ତ୍ତି ୧୭, ମିଲିନ୍ଦ କୁମାର ୧୮, ଶୁଭମନ ରଞ୍ଜନ ୬* ଓ ହରମିତ ସିଂହ ୧୨* ରନ କରି ଦଳକୁ ବିଜୟ ଦେଇଥିଲେ। ନାମ୍ବିଆ ପକ୍ଷରୁ ଜାନ ନିକୋଲ ଲଫ୍ଟି-ଇଟନ ଓ ଜେଜେ ସ୍ମିତ୍ ୨ଟି ଲେଖାଏ ଉଇକେଟ ନେଇଥିଲେ।
ନାମିବିଆ ବିପକ୍ଷରେ ବିଜୟ ସହ ଆମେରିକା ଲିଗ-୨ ପଏଣ୍ଟ ଟେବୁଲରେ ଆଉ ଦୁଇ ପଏଣ୍ଟ ହାସଲ କରିଛି। ଏହି ବିଜୟ ପରେ ଆମେରିକା ଏତେ ଆଗରେ ରହିଛି ଯେ, ଅନ୍ୟ ଦଳଗୁଡ଼ିକର କିଛି ମ୍ୟାଚ ବାକି ଥିଲେ ମଧ୍ୟ କୌଣସି ଦଳ ଆମେରିକାକୁ ପଏଣ୍ଟରେ ଟପିପାରିବ ନାହିଁ।
ଫଳରେ ଲିଗ-୨ରେ ସର୍ବାଧିକ ପଏଣ୍ଟ ହାସଲ କରି ଆମେରିକା ଚାମ୍ପିଅନ ହୋଇଛି। ଦଳର ଏହି ଐତିହାସିକ ସଫଳତାରେ ଅଧିନାୟକ ମୋନାଙ୍କ ପଟେଲଙ୍କ ଶତକକୁ ସବୁଠାରୁ ବଡ଼ ହିରୋ ଭାବେ ଦେଖାଯାଉଛି।