Categories: ଖେଳ

ଯୁବରାଜଙ୍କ ଫୋନ୍‌ କଲ୍‌କୁ ଅପେକ୍ଷା କରିଛନ୍ତି ଏହି କ୍ରିକେଟର୍‌: ଜାଣନ୍ତୁ କାହିଁକି

ନ୍ୟୁୟର୍କ,୧୨।୯: ଆମେରିକା ପାଇଁ ଖେଳୁଥିବା ଭାରତୀୟ ମୂଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜସକରନ ମାଲହୋତ୍ରା ୨ ଦିନ ପୂର୍ବରୁ ଦିନିକିଆ କ୍ରିକେଟରେ ଇତିହାସ ସୃଷ୍ଟି କରିଥିଲେ। ସେ ପାପୁଆ ନ୍ୟୁ ଗିନି ବିପକ୍ଷ ମ୍ୟାଚରେ ୬ଟି ବଲରେ ୬ଟି ଛକା ମାରିିଥିଲେ। ଏହା ସହ ସେ ହର୍ସେଲ ଗିବ୍ସଙ୍କ ପରେ ଦିନିକିଆ ମ୍ୟାଚ୍‌ରେ ଗୋଟିଏ ଓଭରରେ ୬ଟି ଛକା ମାରି ଦୁନିଆର ଦ୍ୱିତୀୟ ଖେଳାଳି ହୋଇଥିଲେ। ଏହି ଇନିଂସ ପରେ ଜସକରନଙ୍କୁ ସମଗ୍ର ବିଶ୍ୱରୁ ଶୁଭେଚ୍ଛାର ସୁଅ ଛୁଟି ଥିଲା। କିନ୍ତୁ ଜଣେ ବ୍ୟକ୍ତି ଯାହାଙ୍କଠାରୁ ଶୁଭେଚ୍ଛା ଅପେକ୍ଷା କରିଛନ୍ତି ଜସକରଣ। ସେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂଙ୍କ ଫୋନ କଲ୍‌କୁ ଅପେକ୍ଷା କରିଛନ୍ତି। କାରଣ ଯୁବରାଜ ପ୍ରଥମ ବ୍ୟାଟ୍ସମ୍ୟାନ ଯିଏକି ଅନ୍ତର୍ଜାତୀୟ ଟି -୨୦ରେ ୬ଟି ଛକା ମାରିଥିଲେ। କୌତୁହଳର ବିଷୟ ହେଉଛି, ଉଭୟ ଜସକରନ ଏବଂ ଯୁବରାଜ ପଞ୍ଜାବର ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ ଏବଂ ଉଭୟ ପଞ୍ଜାବରେ କ୍ରିକେଟ ଖେଳିଥିଲେ। ସେଥିପାଇଁ ଜସକରନ ଯୁବରାଜଙ୍କୁ ପସନ୍ଦ କରନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୁଁ ଜାଣେ ଯେ ୟୁଭି ପାଜି (ଯୁବରାଜ ସିଂ) ମୋତେ ଶୀଘ୍ର ଫୋନ କରିବେ। ମୁଁ ତାଙ୍କ କଲକୁ ଉତ୍ସାହର ସହିତ ଅପେକ୍ଷା କରିଛି।
ଜସକରନ କେବଳ ପାପୁଆ ନ୍ୟୁ ଗିନି ବିପକ୍ଷରେ ୬ଟି ବଲରେ ୬ଟି ଛକା ମାରି ନାହାଁନ୍ତି, ବରଂ ସେ ଆମେରିକାର ପ୍ରଥମ ଦିନିକିଆରେ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ। ସେ ଏହି ମ୍ୟାଚରେ ୧୨୪ ବଲରେ ଅପରାଜିତ ୧୭୩ ରନ ସ୍କୋର କରିଥିଲେ। ଏହି ଇନିଂସରେ ସେ ୪ ଚୌକା ଓ ୧୬ ଛକା ମାରିଥିଲେ। ଦିନିକିଆରେ ପାଞ୍ଚ ନମ୍ବରରେ ବ୍ୟାଟିଂ କରୁଥିବାବେଳେ କୌଣସି ବ୍ୟାଟ୍ସମ୍ୟାନଙ୍କ ଏହା ସର୍ବାଧିକ ସ୍କୋର ଅଟେ।

Share