ନୂତନ ଭିସା ସେବା ଘୋଷଣା କଲା ଆମେରିକା: ଅଧ୍ୟୟନ ସହିତ ଚାକିରି ମଧ୍ୟ କରିପାରିବେ ଛାତ୍ରୀଛାତ୍ର

ଓ୍ବାଶିଂଟନ୍‌,୭।୩: ଆମେରିକା ସରକାର କିଛି ଭିସା ଆବେଦନ ପାଇଁ ଏକ ପ୍ରିମିୟମ ପ୍ରକ୍ରିୟାକରଣ ଯୋଜନା ଆରମ୍ଭ କରିଛନ୍ତି। ଏହା ଆମେରିକାକୁ ଆସିବାକୁ ଚାହୁଁଥିବା ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କ ପାଇଁ ଲାଭଦାୟକ ହେବ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ ଅଧ୍ୟୟନ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ର ମଧ୍ୟ ଏଥିରୁ ଲାଭବାନ୍‌ ହେବେ। ଆମେରିକାର ସିଟିଜେନ୍‌ଶିପ୍‌ ଆଣ୍ଡ୍‌ ଇମିଗ୍ରେଶନ ସର୍ଭିସେସ୍‌ (ୟୁଏସ୍‌ସିଆଇଏସ୍‌) ଘୋଷଣା କରିଛି ଯେ, ଏସ୍‌ଟିଇଏମ୍‌ କ୍ଷେତ୍ରରେ ଓପିଟି (ଇଚ୍ଛାଧୀନ ପ୍ରାକ୍ଟିକାଲ ଟ୍ରେନିଂ) ଅନୁସରଣ କରୁଥିବା ଅନ୍ତର୍ଜାତୀୟ ଛାତ୍ରମାନେ ଏଥିରୁ ଉପକୃତ ହେବେ। ଏହାର ଅର୍ଥ ବର୍ତ୍ତମାନ ସେ ଅଧ୍ୟୟନ ସହିତ ଚାକିରି କରିବାକୁ ସମର୍ଥ ହେବେ। ୟୁଏସ୍‌ସିଆଇଏସ୍‌ ଅନୁଯାୟୀ, ଭିସା ପାଇଁ ପ୍ରିମିୟମ ପ୍ରକ୍ରିୟାକରଣ ସେବା ମାର୍ଚ୍ଚ ୬ରୁ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ, ଅନ୍ୟ କେତେକ ବର୍ଗ ପାଇଁ ଏହି ସେବା ଏପ୍ରିଲ ୩ରୁ ଆରମ୍ଭ ହେବ।
ସୂଚନାଯୋଗ୍ୟ, ଭାରତରେ ଆମେରିକାର ଭିସା ପାଇବାକୁ ଅପେକ୍ଷା କରୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ। ଏହି କାରଣରୁ ଆମେରିକା ସରକାର ମଧ୍ୟ ଭିସା ସମସ୍ୟାର ସମାଧାନ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ଆମେରିକା ସରକାର ଭାରତରେ ନିଜର କର୍ମଚାରୀ ବୃଦ୍ଧି କରୁଛନ୍ତି ଏବଂ ଅନ୍‌ଲାଇନରେ ଭାରତର କାର୍ଯ୍ୟକୁ ପରିଚାଳନା କରିବା ପାଇଁ ଅନ୍ୟ ଦେଶର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିୟୋଜିତ କରୁଛନ୍ତି।

 

Share